ଅଶ୍ରୁ ମୋ ଚନ୍ଦନ,ଅଶ୍ରୁ ମୋ ଘୁଙ୍ଗୁର
ଅଶ୍ରୁ ମୋ ଚନ୍ଦନ,ଅଶ୍ରୁ ମୋ ଘୁଙ୍ଗୁର
ଘୁଙ୍ଗୁର ମୁଁ ନୁହେଁ ବାଜି ଜାଣିନାହିଁ
ତୁମରି ଇଙ୍ଗିତେ
କଳା ଗୋସାଇଁ !
ବାଜିବି କାହିଁକି କାନ୍ଦିବି କାହିଁକି
ତୁମରି ନାମରେ
ଲୁହ ଝରାଇ ??
ଦେବଦାସୀ ନୁହେଁ ନାଚି କି ପାରିବି
ନୃତ୍ୟ ମଣ୍ଡପରେ,
ମୋ' ଭାଗ୍ୟେ ନାହିଁ ।
ଭାଗ୍ୟ ମୋ' ଭଙ୍ଗୁର ପାଦ ବି ପଙ୍କିଳ
ନୃତ୍ୟ ମଣ୍ଡପ ମୋ'
କପାଳେ କାହିଁ !!
ତୁଳସୀ ନୁହେଁ ମୁଁ ଶୋଭା କି ପାଇବି
ତୁମରି ଗଳାରେ
ସେ ପୁଣ୍ୟ କାହିଁ !
ଛାର ଦୂବଦ୍ରୁମ ଚାହିଁ ରହିଥିବି
ତୁମ ବଡଦାଣ୍ଡ
କୋଣରେ ରହି ।।
ଛନ୍ଦା ଚରଣର ଛାନ୍ଦ ହୋଇ ତୁମ
ଚରଣାମୃତରେ
ପାପ ଧୋଇବି ।
ପାପ ମୋ' ଜଘନ୍ୟ ପୁଣ୍ୟ ଅକର୍ମଣ୍ୟ
ଚରଣାମୃତ କି
ପିଇ ପାରିବି !!
ଚନ୍ଦନ ନୁହେଁ ମୁଁ,ହେବାକୁ ଚାହେଁନି
ଲାଗିବି ତୁମରି
ପଦ୍ମ ପାଦରେ ।
ହେବି ବା କାହିଁକି,ନ ହୋଇ ଧୋଉଛି
ନିତି ମୋ'ନୟନ
ଅଶ୍ରୁ ଧାରରେ !!
ଅଶ୍ରୁରେ ଅଶ୍ରୁରେ ଅଭ୍ର ଆଲିଙ୍ଗନେ
ଭାବିଛି ପାଇବି
ତୁମ ସାନ୍ନିଧ୍ୟ ।
ଅଶ୍ରୁ ମୋ' ଚନ୍ଦନ ଅଶ୍ରୁ ମୋ' କର୍ପୂର
ଲୋଡ଼ା ନାହିଁ ମୋତେ
ବନ୍ଦନା ଅର୍ଘ୍ୟ ।।
ମୋ' ପାପ ପୁଣ୍ୟର ହିସାବ ରକ୍ଷକ
ଶ୍ରୀ ମନ୍ଦିର ଶୋଭା
ଶ୍ରୀ ଜଗନ୍ନାଥ ।
ଅଶ୍ରୁ ମୋ' ତର୍ପଣ ଅଶ୍ରୁ ମୋ' ଅର୍ପଣ
ମୋ' ଅଶ୍ରୁ ଅଣୁ ମୋ'
ଭକ୍ତି ରକତ ।