ଅର୍ଥ ପ୍ରତି ଲାଳସା
ଅର୍ଥ ପ୍ରତି ଲାଳସା


ଅର୍ଥ ପ୍ରୟୋଜନ ଆସେ ଜୀବନ ନିର୍ବାହେ
ସେ ଅର୍ଥ ଲାଳସା ପାଇଁ ପଡିଯାନ୍ତି ମୋହେ ।
କୁହୁକ ଲହରି ସେତ ଛଳନାର ସ୍ରୋତ
ସୁବୁଦ୍ଧି ଜନଙ୍କୁ ଏହା ହୁଅଇ ପ୍ରତୀତ ।
ଜନମରୁ ଅର୍ଥ ପ୍ରତି ନଥାଏ ତ ଲୋଭ
ଅତି ପ୍ରଲୋଭନ ପାଇଁ ଲାଗି ଯାଏ ଭାବ ।
ପ୍ରୟୋଜନ ଠାରୁ ଯେବେ ହୃଦେ କରେ ଆଶା
ମାୟା ମରିଚୀକା ପରି ବଢୁ ଥାଏ ତୃଷା ।
ସେ ତୃଷାର ବ୍ୟାକୁଳତା କେତେ ଦୂର ନିଏ
ଆଖି ପିଛୁଳାକେ ସତେ ଗଗନକୁ ଛୁଏଁ ।
ନଭ କୋଳେ ଜହ୍ନ ତାରା ଯେହ୍ନେ ପଶାପାଲି
କେବେ ସେ ଡଲାର ରୂପେ ହସେ ଖିଲି ଖିଲି ।
ଅଳୀକ ଭାବ ଆଦାନେ ଦିଶେ ମିଂଜି ମିଂଜି
କେବେ ଆନନ୍ଦିତ କେବେ ଅଶ୍ରୁ ସ୍ରୋତେ ଭିଜି ।
ଯେହ୍ନେ ଅସ୍ତାବଳ ତ୍ୟାଗୀ ତୁରଙ୍ଗର ଗତି
ସେହି ଭାବେ ନିର୍ବୋଧତା ଅର୍ଥ ପ୍ରତି ପ୍ରୀତି ।
ବିଦେଶ ଡଲାର କିବା ଭାରତୀୟ ବିତ୍ତ
ଲଭିବା ପାଇଁ ଅସୂୟା ମନରେ ଉଦିତ ।
ଅର୍ଥ ଦରିଆକୁ ଭାବେ ନିତ୍ୟାନି ସାଗର
ମାନସରୁ ଲିଭି ଯାଏ ରୋଗ ବ୍ୟାଧି ଗାର ।
ଭୟଙ୍କର କ୍ୟାନ୍ସର କିଅବା ଏଡ଼ସ୍
ଅର୍ଥ ଲାଳସାରେ ଚାଲେ ବ୍ୟଙ୍ଗ ପରିହାସ ।
ଯାହା ପାଇଁ ଲମ୍ଫ ଦିଏ ଅର୍ଥର ସିନ୍ଧୁରେ
ଅନ୍ତିମ ସମୟେ ସେତ ଯାଏନା ସାଙ୍ଗରେ ।