ଅରେନ୍ଜ ମୁନ୍
ଅରେନ୍ଜ ମୁନ୍


ହେ ଫଗୁଣ ତୁମେ
ଗଲା ପରେ ପରେ
ଅନେକ .....ଯାତନା ଏଠି ।
ଆଖିରେ ଶ୍ରାବଣ ର ଛୁଆଁ ନେଇ ଶ୍ରାବଣୀ ରଙ୍ଗହୀନ ଗୋଲାପ ର ପାଉଁଶ ତଳୁ ଖୋଜୁଥିଲେ କିଛି ଅଭୁଲା ଏଣୁତେଣୁ ଗାର ,ବିନ୍ଦୁ, ବକ୍ର ଓ ସଳଖ ।
ଏମିତି କାହିଁକି,
ନ ହେଲେ କଣ ହୁଅନ୍ତା ଯେ ।କାଶ୍ ଚୁଜ୍ କରିହନ୍ତା କି ନିଜ ଜୀବନ ର ଫୁଲ ପତ୍ର ସବୁ ,
ହଁ ଆଉ କଣ୍ଟା ବି ।
କଣ୍ଟା ନଥିଲେ କାଳେ ଫୁଲର ମହତ୍ତ୍ଵ ରହେନି ।ଖାଲି ମିଠା କେତେ ଖାଇବ ଯେ ,ପାଟି ସିଠେଇ ଯିବନି ନା ।ସବୁ ଦରବ ର ସୁଆଦରେ ସିନା ଜୀବନ ଟା ଜୀବନ ।ଗୁରୁଜୀ ଶିଖଉଥିଲେ ଶ୍ରେଣୀରେ ।
କିନ୍ତୁ ବେଳେବେଳେ ଭାରି କାଟେ ।
ସହିବାର ବି ସୀମା ଥାଏ ନା ।
ଝିଅର ନାଁ ସେ ଅଳି ଦେଇଥିଲେ ।ଢେର୍ ସାରା ଅଳି କରୁ ବୋଲି ଚାହୁଁ ଥିଲେ।
ଅଳି ପଚାରୁଥିଲା ତାଙ୍କ କୋଳରେ ବସି ,ବାବା ସ୍କାଏ ରେ ଯଦି ସବୁ କଲର୍ ର ମୁନ୍ ଥାନ୍ତା ତେବେ ??
ତେବେ ମୁଁ ମୋ ଅଳି ମୁଣ୍ଡ ରେ ସେଥିରୁ ଗୋଟେ ତା ପସନ୍ଦ ର ଆଣି ଟିପା କରି ପିନ୍ଧେଇଦିଅନ୍ତି ।
ସ୍କାଏ ଆହୁରି ବିଉଟିଫୁଲ୍ ଦିଶନ୍ତା ନା ।
ହଁ ......କିନ୍ତୁ ମୋ ମୁନ୍ ଠୁ କମ୍ ।କହି କଣେଇକି ଶ୍ରବଣୀ କୁ ଚାହାଁନ୍ତି ଅନୁଜ୍ ।
ଅପରୂପ ଗୋଟେ ଚହଟ ଆପେ ଖେଳିଯାଏ ଶିରେ ଶିରେ ।
ଆଜି ପୁଣି ଅଳି ଅଝଟ ଲଗେଇଛି, ମା ତୁ ମତେ ସବୁ କଲର୍ ର ମୁନ୍ ଆଣିଦେ ।
ସିଏ ବା କଣ ଜାଣେ ମୁନ୍ ଟେ ପାଇଁ ତ ସ୍କାଏ କୁ ଯିବାକୁ ହୁଏ ,ଆଉ ତା ବାବା ତ ଯାଇଛନ୍ତି ବର୍ଡର କୁ ,ସ୍କାଏ ର ରାସ୍ତା ନା ।
କିନ୍ତୁ ତା ପାଇଁ ମୁନ୍ ଆଣିବେ କି ନା ଜାଣେନା ।
ଚିନ୍ ବର୍ଡର ରେ ଗୋଳା ଫୁଟିଲେ କାଳେ ଆକାଶ ଦିଶେ ଅରେଜ୍ଜ ।ସେ ଥରେ ଭିଡିଓ କଲିଂ ରେ ଦେଖେଇ ଦେଇଥିଲେ ।
ଆଜି ବି କାଇଁ ଆକାଶ ଟା ଗୋଲାପି ଆଉ ଜହ୍ନ ଟା ଅରେନ୍ଜ ଦିଶୁଥିଲା, ଏତେ ରାତିରେ ବି ପାଗ ଟା ଭୋର ପରି ମହକୁଥିଲା ।ଏକ ଶ୍ବେତ ପଥ ଚନ୍ଦ୍ରାଲୋକ ରେ ଗାଲିଚା ଟିଏ ପରି ଲମ୍ବି ଥିଲା ଧଳା ବାଦଲର ତୋରଣ ଟି ଭିତରକୁ, ବୋଧେ ଆକାଶ ର କିଛି ଉତ୍ସବ ଥିଲା ।
ଏତେ ରାତି ରେ ଏତେ ଅଦ୍ଭୁତ ଭାବରେ ଧଳା ବାଦଲ ଖଣ୍ଡେ କେମିତି ଦିଶୁଥିଲା କେଜାଣି ଏ ଆକାଶ ଟାର ଛାତିରେ ।ଚିଠି କାଗଜ ଟେ ପରି ।
ପାଖରେ ଠିଆ ହେଇ ମୁନ୍ ଟେ ପାଇଁ ଅଳି ଲଗେଇଥିଲା, କଣ ଭାବିଲା କେଜାଣି ଦଉଡି ଯାଇ ଫେରିଲା ହାତରେ ଗୋଟେ ମୁନ୍ ସେପ୍ ରେ ଭରା ଟିକିଲି ପ୍ଯାକେଟ୍ ଧରି ......ଯୋଉଟା ତା ପାପା ଆଣିଥିଲେ ତା ପାଇଁ ତା ଫେଭରେଟ ମୁନ୍ ସେପ୍ ବୋଲି ।
ଆଉ ସେଥି ରୁ ଥିରେ କି ଯତ୍ନେଇକି ଅରେଜ୍ଜ ଟିପାଟି କାଢି ଶ୍ରାବଣୀ କପାଳରେ ଟିପି ଦେଇ ତା' କୁନି ପାପୁଲିରେ କୋଳେଇନେଇ କହିଲା
,ହମ୍ ମ୍ ଏବେ ମୋ ମାମା ପୁରା ମୁନ୍ ପରି ଦିଶିଲେ ।ଠିକ୍ ଯେମିତି ତା' ପାପା କୁହନ୍ତି ସେମିତି ।
ଆଖି ବୁଜି ଫିଲ୍ କଲେ ଶ୍ରାବଣୀ ସ୍ପନ୍ଦନ ସହ ଜେନେଟିକ୍ ଭଲପାଇବାଟିକୁ । ପାଇଛି ଡିଟୋ ତା ପାପା ର ହାର୍ଟ ବିଟ୍ ।
ନେଟୱାର୍କ ନଥାଏ ପ୍ରାୟତଃ ବର୍ଡର ରେ ବୋଲି ସେ ଏବେ ବି ଚିଠି ଲେଖନ୍ତି ।
ଧରିଥିଲା ଶ୍ରାବଣୀ ସେ ଜୀବନ୍ତ ଶବ୍ଦ ସବୁ ର ସ୍ତବକ କୁ ।
ଆଉ ଶୁଣୁଥିଲା ,
ଦିଲ୍ ତଡପ ତଡପ କେ କେହେ ରହା ହେ ଆ ଭି ଯା
.........ଗୁଲ୍ ନେହିଁ ଖିଲେ କି ..........ତେରା ଇନ୍ତଜାର୍ ହେ ।