ଅପ୍ରତ୍ୟାଶିତ ଗତି
ଅପ୍ରତ୍ୟାଶିତ ଗତି


କାହିଁକି ଟିକିଏ କରୁଣା କଲନି
ବୁଝିବାକୁ ମନ କଥା
ଋତୁରାଜ ପରି ଚାଲି ଗଲ ତୁମେ
ଦେଇ ମିଠା ସ୍ପର୍ଶ ବ୍ୟଥା ।
ଯାହା ରହି ଗଲା ସ୍ମୃତି ଫରୁଆରେ
ତାହା ନପାରେ ମୁଁ ଖୋଲି
ଝୁରେ ମନ ପ୍ରାଣ ଚକୋଇ ସମାନ
ପାରେନା ତୁମକୁ ଭୂଲି ।
ପ୍ରାଣୀ ଜଗତରେ ମଧୁରିମା ଭରି
ଚାଲି ଯାଏ ମଧୁମାସ
ତୁମେ ଯେ ନାୟକ ମୋ କାବ୍ୟ ପୃଷ୍ଠାରେ
କେମିତି ଲିଭାଅ ହସ ।
ମଧୁ ମଳୟର ଧୀର ସମୀରଣେ
ସ୍ନେହ ପ୍ରୀତି ଯାଏ ବୋହି
ତୁମେ ଯେ କ୍ଷେପଣି ମୋ ଜୀବନ ନାବେ
କାହିଁକି ନେଲନି ମୋହି ।
ବାରବାର ଡାକେ କୋକିଳ ସୁକଣ୍ଠୀ
ଶେଷ ପଥେ ମଧୁକାଳ
ତୁମେ ଯେ କେମିତି ମୋର କଥା ଭାବି
ହୁଅନି ବାରେ ଚଞ୍ଚଳ ।
ସଙ୍ଗମେ ତଲ୍ଲୀନ ତଟିନୀ ସାଗର
ବେଳାଭୂମି ମଧୁଶଯ୍ୟା
କାହିଁକି ନୀରବ ବେଦନା ଜଗାଅ
ଅନ୍ତରେ ଉପୁଜେ ଲଜ୍ୟା ।