ଅପ୍ରାପ୍ତିରେ ବେଶି
ଅପ୍ରାପ୍ତିରେ ବେଶି
କବିତା - ଅପ୍ରାପ୍ତିରେ ବେଶି
ରଚନା - ପଞ୍ଚାନନ ଜେନା
ତାରିଖ -୧୧-୦୨-୨୦୨୬
+++++++++++++++++
ଜୀବନଟା ବୋଧେ
ପ୍ରାପ୍ତୀରେ କମ୍ ଅପ୍ରାପ୍ତୀରେ ବେଶି
ପ୍ରଶାନ୍ତିରେ କମ୍ ଅଶାନ୍ତିରେ ବେଶି
ରୀତି ନିତିରେ କମ୍ ରାଜନୀତିରେ ବେଶି
ବାଦାମ୍ ଛଡ଼େଇ ଖାଇଲା ବେଳେ
ଗୋଟିଏ ଦୁଇଟି ଦାନା ତଳେ ହଜିଗଲେ
କି ଖୋଜା ଖୋଜି
କି ଗଳଦଘର୍ମ ଘଣ୍ଟା ଘଣ୍ଟି
ମନେ ପକେଇଲେ
ଏମିତି କେବେ ଆର୍ଯ୍ୟଭଟ୍ଟ ଖୋଜି ଥିବେ କି ?
ସମୟଟା ବୋଧେ
ମଉଜରେ କମ୍ ଫଉଜରେ ବେଶି
ଆନନ୍ଦରେ କମ୍ ଉଲ୍ଲାସରେ ବେଶି
ମସ୍ତିରେ ବସ୍ତିରେ କମ୍ କିସ୍ତିରେ ଶାସ୍ତିରେ ବେଶି
ଗ୍ରୀନ ମଟର ଛଡଉ ଥିବ
ଏପଟକୁ ଚାହିଁ ସେପଟକୁ ମୁହେଁଇ
ଦୁଇ ଚାରିଟା ପାଟିକୁ ଦେଲ ପକେଇ
ବୋଉ ଆଖିରେ ଦିଶିଗଲା ଆଗେଇ
କି ଗାଳି ବର୍ଷଣ
କି ତୁଣ୍ଡ କମାଣ
ସବୁ ଇଜ୍ଜତ ମହତ ମାନସମ୍ମାନ
ଦୁଇ କଡ଼ାରେ ହେଲା ନିଲାମ ଜାଣ
ମନେ ପକେଇଲ
ଏମିତି ମଧୁର ଶାସ୍ତି ତିହାର ଜେଲର ଦେବ କି ?
ବୟସଟା ବୋଧେ
ସତସଙ୍ଗ କମ୍ ନୟନସୁଖ ବେଶି
ଭକ୍ତିରସ କମ୍ ସାଙ୍ଗ ସୁଆଙ୍ଗ ବେଶି
ସତ୍ୟ ଶିବ ସୁନ୍ଦର କମ୍ ଫମ୍ପା ଆଡ଼ମ୍ବର ବେଶି
ଭଲ ସଂପର୍କ ସ୍ଥାପନ ଥିବ
ନିତି ଭେଟଘାଟ ହେଉଥିବ
ହଠାତ୍ ସମସ୍ୟା କିଛି କଲେ ଆଗମନ
ଅର୍ଥ ପାଇଁ କହିଦିଅ ଥରେ ଅଧେ ଆପଣ
ପଙ୍ଗପାଳ ପରି ଛତ୍ରଭଙ୍ଗ
ଗଛରୁ ଫୁରର୍ କଲେ ଯେମିତି ବିହଙ୍ଗ
ମନେ ପକେଇଲ
ଏମିତି ସାଙ୍ଗଦଳକୁ ନେଇ ବନ୍ଧୁମିଳନ କରିଛ କି ?
