STORYMIRROR

Biswanath Nayak

Fantasy

4  

Biswanath Nayak

Fantasy

ଅପହଞ୍ଚ

ଅପହଞ୍ଚ

1 min
307

ଅପହଞ୍ଚ କାଲି

ଥିଲା ମୋ ଇଲାକା

ତୁମ ଟିକେ ହସ ପାଇଁ,

ଆଜି ତୁମ ହସ

ଅଳସ ଭାଙ୍ଗୁଛି

ମୋ ମନ ପାଚେରୀ ଡେଇଁ। 

ମୁଁ କୁଆଡେ ଥିଲି

ଏକ କଷ୍ଟ ଶବ୍ଦ

ତୁମ ଅଭିଧାନ ପାଇଁ,

ମୋତେ ନେଇ ଆଜି

ଲେଖୁଛ କାହାଣୀ

ସେନେହର ମସୀ ନେଇ। 

ମୁଁ ଥିଲି କୁଆଡେ

ଦୂର ଦିଗବଳୟେ

ତୁମ ପାଇଁ ସନ୍ଧ୍ୟାତାରା,

ଜାଣେନା ଆଜି ମୁଁ

କିପରି ସାଜିଲି

ତୁମ ନୟନର ତାରା। 

କାଲି ମୋତେ ପାଦେ

ଦେଇଥଲ ଦଳି

କିଂଶୁକ ସୁମନ ବୋଲି,

ଆଜି ଚାହଁ ନେଇ

ମଣ୍ଡିବାକୁ ଗଭା

ରଜନୀଗନ୍ଧା କି ହେଲି!

କାଲି ଥିଲି ମୁହିଁ

ନିର୍ଜୀବ ପଥର

ତୁମରି ଚଲାପଥରେ,

ସାଜିଲି କିପରି

ଆଜି ଶାଳଗ୍ରାମ

ତୁମ ମନ ମନ୍ଦିରରେ। 

କାଲି ତୁମ ପାଇଁ

ଥିଲି ମୁହିଁ ଏକ

ବର୍ଷଣମୁଖର ରାତି,

ଆଜି କହୁଅଛ

ସେ ବରଷାରାତି

ଭରେ ତୁମ ମନେ ତାତି। 

କାଲି କହୁଥିଲ

ମୁଁ ନୁହେଁ ମନ୍ଦିର

ମୁଁ ଗୋଟିଏ ମୁଖଶାଳା,

ଆଜି ଆସିଅଛ

ସାଜି ପୂଜାରିଣୀ

ଧରି କୁସୁମର ମାଳା। 

ଖୋଲା ଆକାଶରେ

ବିହଙ୍ଗମ ସାଜି

କାଲି ତୁମେ ଉଡୁଥିଲ,

ଆଜି ମୋର ମନ

ପଞ୍ଜୁରୀକୁ ଖୋଲି

କିପରି ପଶି ଆସିଲ?

କାଲି ଆଜି ମଧ୍ୟେ

ଏତେ ଯେ ଫରକ

ଏକଥା ନଥିଲି ଜାଣି,

ଥରେ ଖାଲି କୁହ

କାହିଁକି ଲେଖିଲ

ଆଜି ଏ ନୂଆ କାହାଣୀ। 

ତୁମ କାଲି ସିନା

ଆଜି ହୋଇଗଲା

ମୋ କାଲିର ନାହିଁ ଶେଷ,

ତୁମପାଇଁ ଥିବି

ସଦା ଅପହଞ୍ଚ

ଯାହା ନାମ ଅବସୋସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy