ମଲ୍ଲି ଢଅପ
ମଲ୍ଲି ଢଅପ
ରଜାପୁଅ ଆଉ ରାଜା ହେବ ନାହିଁ
ରାଜତନ୍ତ୍ର ହେବ ବିଲୋପ ,
ସୁଗଣତନ୍ତ୍ର ର ପ୍ରତିଷ୍ଠା କରିବା
ଦେଖାଇ ନିଜର ବହପ ।
ଅପାଠୁଆ ଡାକି ଗାଦିରେ ବସେଇ
କରିବା ମଧୁର ଆଳାପ
ମଲ୍ଲି ଢଅପ ।
ପାଠୁଆ ଯେତେକ ହାଟୁଆ ସାଜିବେ
ପାଠକୁ କରିବେ ବିକିରି ,
ଟିପ ଦିଆ ଲୋକ ହାଟର ମାଲିକ
ଜ୍ଞାନୀ କରିଥିବେ ଚାକିରି।
ମୁଣ୍ଡ ବିକ୍ରି ହେଉ ଚିନ୍ତା ଦକ ନାହିଁ
ହେଉ ପଛେ ଲାଭ ଅଳପ
ମଲ୍ଲି ଢଅପ ।
ଖଟ ମୁଣ୍ଡେଇବେ ସୁଜ୍ଞାନୀ ବିଜ୍ଞାନୀ
ମୁଣ୍ଡ ଖଟେଇବେ ମୂରୁଖା ,
ଅଜ୍ଞାନୀ ପିନ୍ଧିବେ ପାଇଜାମା କୁର୍ତା
ଜ୍ଞାନୀ ଚଳେଇବେ ଚରଖା ।
ଖଟି ଖିଆ ଯାଉ ଦାଦନେ ଖାଦନେ
ବନ୍ଧା ପଡ଼ୁ ପୁଅ ମାଇପ
ମଲ୍ଲି ଢଅପ ।
ପାଠ ପଢ଼ି ପୁଅ ଚାକିରି କରିବ
ସ୍ବପ୍ନ ଦେଖେଇବା ବିରାଟ ,
ଚାକିରି ନପାଇ ହଳ କରିବ କି
ବରଂ ଚାଲି ଯିବ ସୁରଟ ।
ବଢ଼ିଲା ଝିଅଟା ବଢ଼ିବା ପାଇଁକି
ହେଲେ ହେଉ ଥାଉ ଖରାପ
ମଲ୍ଲି ଢଅପ ।
ନାରୀକୁ ଖରାପ ନକହି ଭାବିବା
ନିଜ ପୁତ୍ର ର ଜନନୀ ,
ନାରୀ ଉନ୍ନତିରେ ଦେଶର ଉନ୍ନତି
ଭାଷଣର ମିଛ କାହାଣୀ ।
ପର ଝିଅ ବୋହୂ ନିଜ ଝିଅ ସମ
ଭାବିଲେ ଲାଗିବ ପାପ
ମଲ୍ଲି ଢଅପ ।
ଗଣତନ୍ତ୍ର ର ପୃଷ୍ଠା ଲେଉଟାଇ
ଗଣିକା କରଇ ଚର୍ଚ୍ଚା ,
କିବା ଯାଏ ଆସେ ରାସ୍ତା କଡ଼େ ପଡ଼ି
ନାବାଳିକା ହେଲେ ମୂର୍ଚ୍ଛା ?
ବାପ ହେଇ ଯଦି ପାପ କରି ବସେ
କିଏବା କରିବ ନିଶାପ
ମଲ୍ଲି ଢଅପ ।
ସ୍ବୟଂ ସହାୟିକା ସ୍ବୟଂ ସିଦ୍ଧା ଆମେ
ସ୍ବାଧୀନ ଦେଶର ନାରୀ ,
ଭଲ ଲାଗୁ ନାହିଁ ନଗ୍ନ ପିଠି ପେଟ
ବକ୍ଷୁ ବସ୍ତ୍ର ଦେବୁ ଚିରି ।
ରକ୍ତ ପିଇ ଯିବୁ ଚରିତ୍ରେ ଆମର
ଲଗେଇବ ଯିଏ ଟିପ
ମଲ୍ଲି ଢଅପ ।
ବାପ ଖୋଜେ ମାଟି ପୁଅ ଖୋଜେ ଭାଟି
ମାଅାକୁ ରେସନ ଚାଉଳ ,
ନୋଟ୍ ଦେଇକି ଭୋଟ୍ କିଣିବା
ନୂଆ ଗଣତନ୍ତ୍ର କୌଶଳ ।
ଗରିବ ମରିବ ମଲେ ତ ବଢ଼ିବ
ଧନୀର ତ ଧନ ଅମାପ
ମଲ୍ଲି ଢଅପ ।
ସରକାର ଆଉ ସରକାରୀ ବାବୁ
ବ୍ରିଟାନିଆ ଫିପ୍ଟି ଫିପ୍ଟି ,
ସରକାରୀ କାମ କେମିତି ବା ହେବ
ନ ନେଇ ଲାଞ୍ଚ କି ବଟି ?
ତୁ ତ ମୁତୁରି ମୁଁ ତ ମୁତୁରି
କିଏ କାହାକୁ ବା ଦେବ ଶାପ
ମଲ୍ଲି ଢଅପ ।
ଯୋଜନ ଯୋଜନ ଯୋଜନା ବୁଲିବ
ଗୋଟେ ବି ହେବନି ସଫଳ,
ନିର୍ବାଚନ ବେଳେ ଇସ୍ତାହାର ପଢ଼ି
ପରିବାର ହେବ ଦି'ଫାଳ ।
ସରକାରୀ ମାଲ୍ ଦରିଆ ମେଁ ଡାଲ୍
ଯେତେ ପାର କର ହଡ଼ପ
କରି ରାଜତନ୍ତ୍ର ର ବିଲୋପ
ମଲ୍ଲି ଢଅପ ।
