ଅଫେରା ମାନସ
ଅଫେରା ମାନସ
ଖୁବ୍ ଫେରିଯାଏ ମନଟା
ବାରମ୍ବାର କେଜାଣି ସେ ସମୟଟା
ରହି ରହି ତାଗିଦ୍ କରିବା ସତ୍ତ୍ୱେ କହି
ଫେରି ଚାହେଁ ଅତୀତର ନାଁ ନେଇ
ପୁଣିଥରେ ଉଭାହୁଏ ମୋ ସାମନାରେ
ଦିଗନ୍ତପ୍ରସାରୀ ଏମନ ଆକାଶରେ
ଆଞ୍ଚୁଳିରେ ସାଉଁଟି ନେବା ଇଚ୍ଛାରେ
କେତେ ଧୂଳି ତଳେ ପଡଇ କେତେ ରହେ
ତାର ହିସାବ ରହେନା ମନରେ
ସେଇ ଖଣ୍ଡ ବିଖଣ୍ଡିତ ସମୟର ଛାପରେ
ଛାଇ ପରି ଘୁରିବୁଲେ ମୋ ଅକ୍ଷାଂଶ ଦ୍ରାଘିମାରେ
ପୁଣି କରାଘାତ କରେ ମୋ ସୁନ୍ଦର ନିବୁଜ ବର୍ତ୍ତମାନରେ
ହଜିଯାଇଥିବା ଭୂଲିଯାଇଥିବା ଅମାବାସ୍ୟାର ଗାଢ ତିମିରେ
ପୂଣ୍ଣିର୍ମାର ଛିକ୍ ମିକ୍ ଜହ୍ନରାତିରେ
ବୟସଟା ବଢିଚାଲେ ଏ ବେଳାଭୂମିରେ
ସମ୍ପର୍କର କାନ୍ଥରେ କେବଳ ଆଞ୍ଚୁଳିଭରା ଶୂନ୍ୟତା
ଭୂଲିଯିବାକୁ ପଣ କରିଥିବା ନିଶିର ନୀରବ ବିଜନତା
ଭୀଷ୍ମ ପ୍ରତିଜ୍ଞା ପଣରେ ଅଗ୍ନି ସ୍ପୁଲିଙ୍ଗ ମନଟା
କେଜାଣି କାହିଁକି ଏବେ ଫେରେ ସେ ମୂହୁର୍ତ୍ତଟା
ଛଳନାର ଆଭରଣ ଖୋଲି ଦେଖେ ଯେବେ ନୟନ
ଖୁବ୍ ପରିଚିତ ଝାପସା ଦେଖାଯାଏ ମୁହଁଟା ମଉନ
ସୃତି ବିସ୍ମୃତିର ବହଳ ପୁଟିନେଇ
ତାରି ଆଭରଣ ଅନାଭରଣ ମନେଇ
ସେହି ପରିତ୍ୟକ୍ତ ସମୟର ଚାବୁକ୍ ଉପରେ
ବର୍ତ୍ତମାନର ସୌଧର ଠିଆ ହୋଇଛି ଜାଗାରେ
ଠିକ୍ ପୃଥିବୀର ଉତ୍ତରାୟଣ ପରି ଦିଗବଳୟରେ
ଖୋଜିହୁଏ ହଜିଯାଇଥିବା ସମୟର ଟୁକୁଡ଼ାଟିଏ
ମୋ ବତ୍ତିର୍ଥିବା କିଛି କ୍ଷଣ ସେ ବକ୍ଷରେ ଥମିଯାଏ
ମୁଁ ପାଲଟିଯାଏ ମାନବୀରୁ ପଥର କନ୍ଯା ଅହଲ୍ୟା
କିଛି ଧୌତ ବିଧୌତ ଆଶାର ସୁନେଲି ସପନର ମତ୍ସ୍ଯ କନ୍ଯା
ଗଭୀର ସାଗରରୁ ଉଭା ହୁଏ କିଛି କ୍ଷଣ ସୂର୍ଯ୍ୟସ୍ନାତା ପାଇଁ
ଦେହଟାକୁ ଶୁଖେଇବା ପାଇଁ
କିଛିଟା ସୌରକିରଣକୁ ଦେହରେ ଜରେଇବା ପାଇଁ
ସେଥିପାଇଁ ସେ ସୁନ୍ଦରୀ ମହାମୟ
କଲ୍ପନା ଛାଇର ଛିଟା ବି ଖୁବ୍ କମନୀୟ ଲୋଭନୀୟ
ଏ ଉଜୁଡା ବାଲିଘର ବାଲିକୁଦାରେ
ଗଢିଥିବା କିଛି ସାଗର କୂଳରେ
ଅହମିକାର ପଦଚିହ୍ନ ମଳିନ ପଡିଛି
ଆଉ ଥରଥର ଓଠର ଅଣକୁହା କଥା କିଛି
ଏରୁଣ୍ଡିବନ୍ଧ ଡେଇଁ ନ ପାରୁଥିବା
ଏପଟେ ରହି ସେପଟକୁ ଡେଇଁବାର ଅଦ୍ୟମ
ନିରର୍ଥକ ପ୍ରୟାସ କରିବାରେ
ସ୍ବପ୍ନାତୁର ଆଖିର ଲୁହର ପ୍ଲାବିତ ବନ୍ୟାରେ
କିଛି ବୁନ୍ଦା ଭିଜି ଆଷାଢ଼ର ବାରିରେ
ପୁଣି ପାଣି ଲୁଣି ହେବା
ସମୁଦ୍ରର ଢେଉରେ ମିଶିବା
କିଛି ଧୂଳିକୁ ନିଜ ହାତରେ ଆଇନା ସଫା କରିବା
ମୁହଁଟାକୁ ଚାହିଁ ଖୁବ୍ ହସ ହସିବା
ଚିହ୍ନା ମୋ ମୁହଁ ଖୁବ୍ ପରିଚିତ ବନ୍ଧୁ ଭେଟିବା
ମୁଁ ବୋଧେ ଭୂଲିଛି ଏତେ ପାଖରୁ ତାକୁ ଦେଖିବା
ହାରିଯାଇଥିବା ସମୟର ଅଧାଜଳା ମନ ମରିଛି
ଏ ବୋଧେ ଅମ୍ବାରୁ ଶ୍ରୀଖଣ୍ଡି ପାଲଟିଛି
ତପସ୍ୟାରେ କ୍ରୋଧର ଅଗ୍ନିରେ ଦହକୁଛି
ସ୍ଵାଭିମାନ ଅଭିମାନରେ ନାରୀ ଅଗ୍ନିସ୍ପୁଲିଙ୍ଗ ହୋଇଛି
କୋମଳମତି ହୃଦୟ ଓ ଜୀବନ କଠୋର ପାଲଟିଛି
ଫେରିବ କି ଅତୀତ ଅଣ ଓସାରିଆ ପଥରେ
ଯେଉଁଠି ସେ ଖେଳେ ଚପଳମତି ରୂପରେ
ଧୋରେ ବାଈୟା ଦୋଳିରେ ବାଲିଖେଳରେ
ପଲାଶଫୁଲର ରଙ୍ଗରେ ଫଗୁଣର ଉଭା ବସନ୍ତରେ
ପିଠିପଛ କରି ବସିଥିବା ସେ ମୂହୁର୍ତ୍ତର ଜୀବନ୍ତ ସତ୍ତ୍ୱାକୁ
ସନ୍ଦେହରେ ବଳି ପଡିଥିବା କିଛି କାନ କୁହାକଥାକୁ
ଅସରନ୍ତି ଉପହାସରେ ଝଡିପଡିଥିବା ଅଗଣାର ସଞବତୀଟିକୁ
ଅସଂଖ୍ୟ ପ୍ରଶ୍ନବାଚୀ ମଧ୍ୟରେ ଜଳି ଯାଇଥିବା ମୂଳଦୁଆକୁ
ଉପହାସ ଓ ତିକ୍ତତାର ବନ୍ଧୁର ପ୍ରସ୍ତର ପାହାଡଗୁଡାକ
ତଥାପି ସେ ସୁନ୍ଦର ସତ୍ଯ ଶିବ ମୋ ପାଖରେ
ମୋର ବର୍ତ୍ତମାନର ସତ୍ତା ଭବିଷ୍ୟତ ଆକାଂକ୍ଷାରେ
ମନ କପୋତିଟି ବିଦ୍ରୋହ କରେ ମନରେ
ହସିଦେଇ ସାଇତିଛି ସମୟର ରତ୍ନ ପଥରଗୁଡାକୁ ରଙ୍ଗରେ
ତା ଉପରେ ମୋ ସୌଧ ବର୍ତ୍ତମାନର ଭିତ୍ତିଭୂମି ଜାଗ୍ରତୋକ୍ତି
ତାକୁ ନିର୍ଜୀବ କହିବା ଏ ବେଳାରେ କଣ ଠିକ୍ ହେଉଛି
ଜୀବନ୍ତ ଦାରୁବ୍ରହ୍ମ ଓମ୍ କାର ଧ୍ବନି ଧ୍ୟାନ କରୁଛି
ଅଳିକ ନୁହେଁ
ସେ ଅମଳିନ
ତୈଜବ୍ୟନ୍ତ ଅତୀତର ପାଦଚିହ୍ନ
ତାରି ଉପରେ ପାଦଥାପି ଆସିଲିଣି ଏ ଇଲାକାରେ
କେମିତି କହିବି କିଛି ବି ପାଇନି ଦେଇନି ଚାଲିନି ଥରେ
ଜୀବନ୍ତ ନୁହଁନ୍ତି ବୋଲି ଏଗୁଡିକରେ
ମୁଁ ଥିବାଯାଏଁ ସେ ଘୁରୁଥିବ ଚତୁର୍ଦିଗରେ
ଘୃଣ୍ଣାୟମାନ ପୃଥିବୀ ଅଟକିବନି ମୋର ଚାରିକଡରେ
ଧମନୀର ତରଙ୍ଗରୁ ହୃଦୟର ସ୍ପନ୍ଦନ ଯାଏଁ
ଅତୀତର ଛାୟାରୁ ବର୍ତ୍ତମାନର ସ୍ଥିତି ଯାଏଁ
ସବୁ ଯେମିତି ଜୀବନ୍ତ
ଅନୁଭୂତି ନିଜସ୍ବ ରହିତ
ଆହୁତିର ଅନାହୂତ ଅଭିଭୂତି
ଚିର ସ୍ମରଣୀୟ ନିଜ ସ୍ବୀକୃତି ।