ଅନୁତାପ
ଅନୁତାପ
ଜୀବନ ଗଡିଚାଲେ
ସମୟର ଚକସହ
କେବେ କୁଳ ପାଏ ତ
କେବେ ହଜିଯାଏ ।
ସ୍ୱପ୍ନ ଦେଖୁ ଦେଖୁ
ସ୍ୱପ୍ନ ହଜିଯିବାକୁ ବସେ
ହୃଦୟର ଅନ୍ଧାରୁଆ କୋଠରୀ ଭିତରୁ
ଆଉ କେବେ ଡାକିହାକି କହେ
ତୁମେ ମୋର ବୋଲି ।
ଭିଜିବାକୁ ହୁଏ
ଗ୍ରୀଷ୍ମର ତାତିରେ
ବରଫ ପାଲଟିବାକୁ ହୁଏ
ଶୀତର ଶୀତରେ
ନଈଟିଏ ହୋଇ ବହିବାକୁ ହୁଏ
ବର୍ଷାର ସ୍ରୋତରେ ।
ବହିଯାଏ ଅନେକ
ଦୁଃଖ, କ୍ଳେଶ, ମାନ, ଅଭିମାନ
ସ୍ୱପ୍ନ, ସ୍ୱପ୍ନିଳ ଜୀବନ ଏମିତି ଅନେକ
ବାକି ରହିଯାଏ ହଜେଇବାକୁ ଚାହୁଁଥିଲେ
ହଜୁ ନ ଥିବା ମୁଠା ମୁଠା ଅବଶୋଷ ।
ବୟସର ଅପରାହ୍ନେ
ସୀମାହୀନ ସାଗରଟେ ପରି
ଲହଡି ଭାଙ୍ଗୁଥାଏ ମରୁଭୂମିର ବାସ୍ତବତା
କହି ହେଉନ ଥିବା ନୀରବତା
ଜଳେଇ ମାରୁଥିବା କେତେଟା ପ୍ରଶ୍ନ
ହଜିଦେଇଥିବା ରୋମାଂଚିତ ସମୟ
ହଁ, ଏହି ତ ଜୀବନ ପ୍ରତୀକ୍ଷଣେ କରୁଥିବା ଅନୁତାପ ଇତିହାସ...!!