ଅନୁଭୂତି-୧
ଅନୁଭୂତି-୧
ଯାଇଥିଲି ଦିନେ ଚିକିତ୍ସାଳୟକୁ
ଦେଖିଲି ଏମିତି ଦୃଶ୍ୟ
ସବୁ ଦୃଶ୍ୟ ମଧ୍ୟେ ନିଆରା ଦୃଶ୍ୟ ଟେ
ଶୁଣିଲେ ହେବ ବିରସ ।
ଆସିଛନ୍ତି ଘରୁ ବୋହୂକୁ ନେଇ ଯେ
ପ୍ରସବ କରିବା ଅର୍ଥେ
ବାହାରେ ବସି ଯେ ସହସ୍ର ମୁଣ୍ଡିଆ
ପୁତ୍ର ଟିଏ ପ୍ରାପ୍ତି ସ୍ଵାର୍ଥେ ।
ସତେ ଅବା କେଉଁ ପରୀକ୍ଷା ଚାଲିଛି
ସେମିତି ମୁଖର ଭାବ
ଦ୍ୱିତୀୟ ସନ୍ତାନ କନ୍ୟା ସନ୍ତାନ ଯେ
କହିଗଲେ ଯେ ଡ଼ାକ୍ତର ।
ବୋହୂ ଲଢୁଅଛି ମରଣ ସାଥୀରେ
ସେ ଦିଗରେ ନିଘା ନାହିଁ
କନ୍ୟା ସନ୍ତାନ ଟେ ହୋଇଅଛି ଶୁଣି
ଶୋକ ପାଳନ ହୁଅଇ ।
ଦଶ ବରଷର ଶିଶୁର ଭଉଣୀ
ସମସ୍ତଙ୍କୁ ବୁଝାଉଛି
ମଝିରେ ମଝିରେ କେଉଁ ଭାବନାରେ
ସିଏ ବି ହଜି ଯାଉଛି ।
କହୁ ଅଛି ସିଏ ଶୁଣ ଜେଜେ ମାଆ
ପୁଅ ଭଳି ଆମେ ହେବୁ
ମନ ଦୁଃଖ କାହିଁ କରୁଅଛ କୁହ
ଆମେ କି ସନ୍ତାନ ନୋହୁ ।
ଆଖିରେ ଜକେଇ ଆସିଲା ଲୁହ ଯେ
ପାଖକୁ ଟିକିଏ ଗଲି
ଛୋଟ କଳୀ ଟିକୁ କୋଳେଇ ନେଇ ମୁଁ
ଗେଲ ଟିକେ କରି ଦେଲି ।
ମନ ଭାରି ହେଲା ହୃଦୟ ଭିତରେ
ଉଦ୍ବେଳନ ସୃଷ୍ଟି ହେଲା
କହିଲି ପଦିଏ ଝିଅ ନଥିଲେ ମା
ପୁଅ କେଉଁଠୁ ଆସିବେ ।
ଯିଏ ଦୁଇ କୂଳ ହିତେ ସମର୍ପିତ
ସିଏ ପିତା ଲାଗୁ ଅଛି
ତା ବିନା ଏ ସୃଷ୍ଟି ସମ୍ଭବ ହେବ କି
ଭାବ ମୋ ମାଆ ମାଉସୀ ।
ଆଜିର ଯୁଗରେ ମଣିଷ ଭିତରେ
ଏମିତି ଭାବ କେମିତି
ଏ ଭାବ ଭାବନା କେବେ ଦୂର ହେବ
ବସି ଏବେ ଭାବୁ ଅଛି ।
ପୁଅ ଝିଅ ର ଏ ବିଭେଦର ଧାରା
କେବେ ବିଲୋପ ହୋଇବ
ପୁଅ ଝିଅ ନୁହେଁ ଏ ମଣିଷ ଖାଲି
ସନ୍ତାନେ ଖୁସୀ ହୋଇବ ।
