ଅନ୍ତରଙ୍ଗ ସଂଳାପ
ଅନ୍ତରଙ୍ଗ ସଂଳାପ
ଚିତ୍ରପଟ ନୁହେଁ ମୃଣ୍ମୟୀ ବୈଦେହୀ
ଜୀବନ୍ତ ପ୍ରାଣ ପ୍ରତିମା ।
ତୁମ ଚାହାଣିରେ ମୋ ପ୍ରାଣ ସ୍ପଦନ
ମିଠା ମଧୁ ମାଧୁରୀମା !
ସଞ୍ଜରେ ତୁଳସୀ ସକାଳ କଳସୀ
ଋତୁରେ ଋତୁରେ ରାଣୀ ।
ହୃଦ ଉପବନ ଅପରାଜିତା, ମୋ'
ଆଗାମୀ ଆୟୁ କାହାଣୀ ।
ହସୁଥିବ ତୁମେ ପଢିବି ନୟନେ
ତୁମ ସୌଭାଗ୍ୟ ସମ୍ଭୂତ ।
ତୁମରି ହସରେ ନିର୍ଣ୍ଣିତ ହେବ ମୋ'
ଆୟୁ, ଅଳ୍ପ ବା ଅୟୁତ ।
ଲଗ୍ନ ରଜନୀରେ ମଗ୍ନ ଲଗନରେ
ଭଗ୍ନ ବୀଣାରେ ମୋର ।
ପୁଳାଏ ସପନେ ଛନ୍ଦ ତୋଳି ଦେଲ
ସାତ ଜନମର ସୁର ।
ସେ ସୁରରେ ଥିଲା ଅର୍କ ଆତ୍ମୀୟତା
ଭାବ ପଂକ୍ତି ନିବିଡ଼ତା ।
ଆଗାମୀ ଜୀବନ ବଳିଷ୍ଠ ଆହ୍ୱାନ
ପ୍ରିତି ମୈତ୍ରୀର ବାରତା ।
ଭାବିଲି ବିଧାତା ମୋ'ଭାଗ୍ୟ ନିର୍ମାତା
ପୁଣ୍ୟତୋୟା ତୀରେ ଖଞ୍ଜି ।
ସାଇତି ଥିଲା ଗୋ ତୁମକୁ ଯତନେ
ଦେବ ମୋ' କପାଳ ରଞ୍ଜି ।
ସେଇଥିପାଇଁ ତ ଅଳପ ମୁହୂର୍ତ୍ତେ
ଆତ୍ମୀୟତା ଆସିଗଲା ।
ଆତ୍ମୀୟତା ତା'ର ଆପଣା ରଙ୍ଗରେ
ଅନ୍ତରଙ୍ଗ କରିନେଲା ।
ଅନ୍ତରଙ୍ଗ ହେବା ନିଜ ହାତେ ନୁହେଁ
ନାହିଁ ବିଧାତା ହାତରେ ।
ଆନ୍ତରିକତା ଯେ ଅନ୍ତରର ଝର
ଝରିଯାଏ ନିଜ ସୁରେ ।
ନାହିଁ ଜାତି,ନାହିଁ ଧର୍ମ ବିଭିଧତା
ବର୍ଣ୍ଣ ବୈଷମ୍ୟ ବି ନାହିଁ ।
ମଣିଷର ବନ୍ଧେ ମାନବୀୟ ଗନ୍ଧେ
ଉଦ୍ଭବେ ଅଙ୍କୁର ହୋଇ ।
ଅନ୍ତରଙ୍ଗତାର ଡେଣାରେ ଡେଣାରେ
ପକ୍ଷ ମେଲିଥାଏ ପ୍ରୀତି ।
ସେ ପ୍ରୀତିର ରଙ୍ଗ ଅପୂର୍ବ ପ୍ରସଙ୍ଗ
ନ ଥାଏ ସ୍ୱାର୍ଥର ଭୀତି ।
ତା' ଭିତ୍ତି ବଳିଷ୍ଠ ଲକ୍ଷଣେ ବଶିଷ୍ଠ
ଦିବ୍ୟ ସଂକଳ୍ପେ ଦୁର୍ବାର ।
କେବେ ଭାଙ୍ଗେ ନାହିଁ କେବେ ହଜେ ନାହିଁ
ନିତ୍ୟ ଅଜର ଅମର ।
ନିଃସ୍ୱାର୍ଥପରତା ନରମ ପ୍ରାନ୍ତରେ
ଅନ୍ତରଙ୍ଗତା ଅଙ୍କୁରେ ।
ତ୍ୟାଗ,ବଳିଦାନ ତା'ପାଣି ପବନ
ଉର୍ବରେ ପ୍ରେମର ସୁରେ ।