ଅନ୍ତର୍ଦାହ
ଅନ୍ତର୍ଦାହ
କେତେ ଯତନରେ କୁଟା କାଠି ଖଞ୍ଜି
ଗଢ଼ିଥିଲି ବସା ମୁଁହି
ସେ ବସାକୁ ଛାଡ଼ି ଯାଉଅଛି ଚାଲି
ଆଜି ମୋ କରମ ନେଇ ।
ପତ୍ନୀ ଛାଡ଼ିଗଲା ଏକା କରିଦେଇ
ପୁଅ, ଝିଅ କଲେ ପର
ବୟସର ଏଇ ଅପରାହ୍ନେ ଆଜି
କେହି ନାହିଁ ସାଥେ ମୋର ।
ଜୀବନ ରାସ୍ତାର ଶେଷ ସୋପାନରେ
ଅସହାୟ ଯାତ୍ରୀ ମୁଁହି
ଛାଡ଼ି ଘର ଦ୍ୱାର ଯାଉଅଛି ଚାଲି
କେଉଁଆଡ଼େ ଜାଣେ ନାହିଁ ।
ଆପଣାର ଲୋକେ ଭାବିଲେ ଅଲୋଡ଼ା
କରିଦେଲେ ସାତ ପର
ଚାଲି ଯିବି ଆଜି ଯେଉଁଆଡ଼େ ଟାଣି
ନେଇଯିବ ଭାଗ୍ୟ ମୋର ।
ଚାଲି ଆସିଲିଣି ଅନେକ ବାଟ ମୁଁ
ଆଉ କିଛି ଅଛି ବାକି
କାର୍ତ୍ତବ୍ୟର କେବେ କରି ନାହିଁ ହେଳା
ଧର୍ମ ଯେ ରହିଛି ସାକ୍ଷୀ ।
ଆଉ ଟିକେ ପରେ ସଞ୍ଜ ନଇଁ ଯିବ
ଆସିଯିବ ଅମା ରାତି
ଶେଷ ଠିକଣା ରେ ପହଞ୍ଚିବି ଯେବେ
ନିଶ୍ଚେ ଦେବ ପ୍ରଭୁ ମୁକ୍ତି ।
