STORYMIRROR

SARATA KUMAR DAS

Tragedy

2  

SARATA KUMAR DAS

Tragedy

ଅନ୍ଧ ଅନ୍ଧକାର

ଅନ୍ଧ ଅନ୍ଧକାର

1 min
271

ଏଠି ରକ୍ତର ସୁଅ ଛୁଟେ ଅବେଳରେ

ପଳ ପଳ ହୋଇ ମାଂସ ତରଳିଯାଏ

ଉଦ୍ଗିରଣ ହୁଏ ଲାଭା ଆଗ୍ନେୟଗିରିରୁ, 

ନିଃଶ୍ବାସ ଅବିଶ୍ବାସର ଯୂପକାଠରେ 

ତିଳ ତିଳ ଦଗ୍ଧ ହୁଏ

ଲମ୍ପଟ,କାମୁକର ନିର୍ଘାତ କାମାଗ୍ନିରେ


ବଢି ବଢିଯାଏ ଦେହର ଭୋକ

ଅନ୍ଧାର କ୍ରମଶଃ ଅନ୍ଧ ହୋଇଯାଏ,

ତାରାମାନେ ଲୁଚି ଯାଆନ୍ତି 

କଳା ମଚ ମଚ ସେହି ଅନ୍ଧାର ଭିତରେ

ଆଖି ବନ୍ଦ କରିଦିଅନ୍ତି ଘୋର ଲାଜରେ


ପବନ ବି ହଠାତ ବନ୍ଦ୍ ହୋଇଯାଏ

ଆତ୍ମଗୋପନ କରେ ପାହାଡ ପଛରେ,

ସମୁଦ୍ରର ଉତ୍ତାଳ ତରଙ୍ଗ ବି ଆଗକୁ 

ମାଡି ପାରେ ନାହଁ ,

ଘୁଞ୍ଚିଯାଏ ପଛକୁ ପଛକୁ ଅନେକ ପଛକୁ,

ପକ୍ଷୀମାନେ ବି ବନ୍ଦ କରିଦିଅନ୍ତି କୋଳାହଳ

ଅଦ୍ଭୁତ ଅନ୍ତର୍ଦ୍ବନ୍ଦରେ ଛନ୍ଦି ହୋଇ

ଚିତ୍କାର କରନ୍ତି ଯାହା ନୀରବରେ


ରାତି ଆହୁରି ତୀବ୍ର ହୁଏ

ତାରାମାନେ ଆସ୍ତେ ଆସ୍ତେ ଆଖି ଫିଟାନ୍ତି

ପବନ ବି ଚୁପି ଚୁପି ଆଗକୁ ଆସେ

ସମୁଦ୍ର ବି ବୀର ଦର୍ପରେ ମାଡି ଆସେ 

ଆଗକୁ ଆଗକୁ ସେହି କାଳ ରାତିର

କାଳିମାକୁ ଭେଦ କରି,

ଥପ୍ ଥପ୍ ନିଗିଡି ପଡେ କାକର ବିନ୍ଦୁରୁ

ଲୁହ ଆଉ ଲହୁ,

ଗଛର ପତ୍ରମାନେ ହସନ୍ତି

ପୁଣି କାନ୍ଦନ୍ତି ଅଚାନକ


ସବୁ ଶୁନଶାନ୍ ଖାଁ ଖାଁ ଭିତରେ

ଗୁମୁରୀ ଗୁମୁରୀ କାନ୍ଦେ ଆତ୍ମା 

ଶୂନ୍ୟ ରୁ ଶବ୍ଦ ଶୁଭେ 

ଗମ୍ଭୀର ଓ ଅସ୍ପଷ୍ଟ

କେତେ ଭୀରୁ ଏମାନେ ସତରେ

ସବୁ ଦେଖି ନଦେଖିବାରେ ଖୁବ୍

ନିଖୁଣ ଅଭିନୟ କରନ୍ତି ଏମାନେ, 

ସବୁ ଶୁଣି ନ ଶୁଣିବାର ଖୁବ୍

ବାହାନା ଦେଖାନ୍ତି ଏମାନେ,

ଆହାଃ ଚୁ ଚୁ

ବଣୁଆ ପାଗଳ ହାତୀର ପାଗଳପଣରେ

ଫୁଲଟିଏ ନଷ୍ଟ ହୋଇଗଲା ପରେ


ତେବେ, କିଏ ସେ ନ୍ୟାୟ ଦେବ ତାକୁ

କିଏ କିଏ କିଏ

ଅନ୍ଧାର ନା ପବନ ନା ଆକାଶର ତାରା 

ନା ଗଛର ଶୁଖିଲା ପତ୍ରମାନେ

ସେ ନିଜେ ତ ତାରା ପାଲଟି ଯାଇଛି,

ମିଶିଯାଇଛି ପବନରେ,ସମୁଦ୍ରରେ ପୁଣି

ଗଛର ଶୁଖିଲା ପତ୍ରମାନଙ୍କ ଭିତରେ,

ହଜିଯାଇଛି ସେ ବର୍ବରତାର ଚୌହଦି ଭିତରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy