ଅନାବିଳ ସ୍ନେହ
ଅନାବିଳ ସ୍ନେହ
ପ୍ରେମର ଫଲଗୁରେ ଝିପିଝିପି ସ୍ନେହ ବର୍ଷା,
ସ୍ନେହର ନଦୀରେ ଆଶିଷର ବନ୍ୟା ;
ଆଶିଷର ସାଗରରେ ଆଲିଙ୍ଗନର ଢେଉ,
ଆଲିଙ୍ଗନର ମୌସୁମୀରେ ଉଷ୍ମତାର ଅନୁଭବ ll
ସମ୍ପର୍କ ଏକ ଅନାବିଳ ସ୍ନେହର ପ୍ରତୀକ,
ଏଠି ପ୍ରେମ ଥାଏ, ଆଉ ଭଲପାଇବା ବି ;
କିଏ ସ୍ନେହ ଟିକେ ପାଇବାକୁ ପାଗଳ ହୁଏ,
ଆଉ କିଏ ପାଇଥିବା ସ୍ନେହକୁ ହତାଦର କରେ ll
ଭଲ ପାଇବା କେବେ ରଙ୍ଗ ରୂପ ଦେଖେନା,
କେମିତି କୋଉଠି ହୁଏ ବୁଝିବାକୁ ସମୟ ପାଏନା;
କିଛି କିଛି ହୁଏ ମନ ଆଉ ଦେହ ଭିତରେ,
ଆଦରରେ କୋଳେଇ ନେବାକୁ ଇଚ୍ଛା ହୁଏ ll
ବେଳେ ବେଳେ ନିଜଠୁଁ ଅଧିକା ନିଜର କରେ,
ଦରକାର ପଡିଲେ ଜୀବନ ଦେଇ ପାରେ ;
କେତେ ଅନ୍ତରର କଥା ବ୍ୟଥା ଉଦଗାରୀ ଦିଏ,
ସ୍ନେହ ପ୍ରେମ ଭଲ ପାଇବା ଅଛି ବୋଲି ସଭିଙ୍କୁ ଦେଖାଏ ll
ଏଇତ! ମଧୁର ଜୀବନ, ନିବିଡ ପ୍ରେମ,
ସୁଖର ସରଗ ଏଇ ସ୍ନେହ ମନ ଉପବନ ;
ବାଛ ବିଚାରର ନାହିଁ କେବେ ପ୍ରୟୋଜନ,
ଧନୀ ମାନୀ ଦୁଃଖୀ ସୁଖୀ ସଭିଏଁ ସମାନ ll