ସୁନାମୀ
ସୁନାମୀ
ସୁନାମୀ ଆସିଲେ କେତେ ଯେ ଜୀବନ
ଦୀପ ସେ ଲିଭେଇ ଦିଏ
କ୍ଷଣିକ ଭିତରେ ହସିଲା ସଂସାର
ଲୁହରେ ଯେ ଭିଜି ଯାଏ ।
ଅସୁମାରୀ ଆଶା ଧୂଳିସାତ୍ ହୁଏ
ମଣିଷଟି ହାରି ଥାଏ
ସୁନାମୀ କରାଳ ଗର୍ଭର ସ୍ରୋତରେ
ବିଲୀନ ସେ ହେଇଯାଏ ।
କେତେ ଜୀବଜନ୍ତୁ ଜୀବନ ହାରନ୍ତି
କଳନା ନା ତାର ଥାଏ
ଆଖିର ଆଗରେ ସେଇ ସୁନାମୀରେ
ସବୁ କିଛି ଧୋଇ ଯାଏ ।
କୂଳ ଲଙ୍ଘିଯାଏ ଜୀବନ ବି ନିଏ
ଜୀବିକା ଛଡେଇ ନିଏ
ଅଭାବୀ ଜୀବନ ଅଭାବରେ ସଢେ
କାନ୍ଦି କାନ୍ଦି ଦିନ ଯାଏ ।
ସୁନାମୀର କ୍ଷତି ସହିତ ହୁଏନା
ଯନ୍ତ୍ରଣା ବଢେଇ ଦିଏ
ଅତି ଭୟଙ୍କର ଆଣେ ସେ ପ୍ରଳୟ
ନା ହୁଏ କାହାର ସିଏ ?
ଏଇ ସୁନାମୀ ବି ଅତି ଉପକାରୀ
ତାକୁ ଭୁଲି ପାରେ କିଏ
ପ୍ରକୃତି ସୌନ୍ଦର୍ଯ୍ଯ ଅତି ଅପରୂପ
ଉର୍ବରତା ଆଣେ ସିଏ ।
ସୁନାମୀର ପାଇଁ କେତେ ଲୋକଙ୍କର
ଉପକାର କେତେ ହୁଏ
ସେଇ ଉପକାର ପାଇଥାଏ ଯିଏ
ସିଏ ଏକା ଜାଣି ଥାଏ ।
କା' ପାଇଁ ସୁନାମୀ ପ୍ରଳୟଙ୍କାରୀ ସେ
କାଳ ଯମ ସାଜି ଥାଏ
କାହା ପାଇଁ ସୁନାମୀ ସୁନେଲୀ ସପନ
ଆଶାର ବଣିକଟିଏ ।