ହେ ପୂଜ୍ୟ ଅତିଥି ଘେନ ମୋ ପ୍ରଣାମ
ହେ ପୂଜ୍ୟ ଅତିଥି ଘେନ ମୋ ପ୍ରଣାମ
ହେ ପୂଜ୍ୟ ଅତିଥି ଘେନ ମୋ ପ୍ରଣାମ
ଆତିଥ୍ୟ ଗ୍ରହଣ କର
ଭକତିର ଅର୍ଘ୍ଯଥାଳୀ ଘେନି ପାଦ
ଜଳେ ଧୋଉଛି ପୟର ।
ପୋଛି ଦେଉଅଛି ଚରଣ ଯୁଗଳ
ଆସନ ଗ୍ରହଣ କର
କେମିତି ଅଛନ୍ତି କୁହନ୍ତୁ ଏଥର
ହେ ଅତିଥି ଦେବେଶ୍ବର ।
ଆସିବାରେ କିଛି ବାଧା ହେଇନିତ
କ୍ଳାନ୍ତ ଅଛି କି ଶରୀର
ଜଳ ପାନ ଟିକେ କରନ୍ତୁ ଗ୍ରହଣ
ଦୋଷ ନ ଧରି ମୋହର ।
ଭୋଜନ କରନ୍ତୁ ହେ ଦେବ ଅତିଥି
ବସି ଆସନ ଉପର
ଗରିବ କୁଟୀରେ ଯାହା ବି ରହିଛି
ବାଢେ ଶ୍ରଦ୍ଧା ଆଗ୍ରହର ।
ଖୁସି ମନେ ଘେନ ହେ ପୂଜ୍ୟ ଅତିଥି
ଭୋଜନ ଏବେ ହେ କର
ଢାଳେ ଜଳ ଅଛି ହାତ ଧୋଇ ହେବେ
ତ୍ରୁଟି ହେଲେ କ୍ଷମାକର ।
ବିଶ୍ରାମ ଟିକିଏ କରନ୍ତୁ ଅତିଥି
ଆଜି ଏଇ ମୋ କୁଟୀର
କେତେ ପୁଣ୍ୟ ବଳେ ଦରିଦ୍ର କୁଟୀରେ
ପଡିଛି ତୁମ ପୟର ।
ସଜେଇ ଦେଇଛି ବଞ୍ଚିଣା ଅତିଥି
ଶୟନ ଏଥର କର
ପାଦ ସେବା ଯେବେ ଦେବ ହେ ଅତିଥି
ଏଇତ ସୌଭାଗ୍ଯ ମୋର ।
ମୁଖ ପଖାଳନେ ଜଳ ରଖିଅଛି
କୁହ ଯାହା ଦରକାର
ସକ୍ଷମ ଯେବେ ତ ଥିବ ମୋ ପାଖରେ
ଆଣି ଦେବି ମୁଁ ଛାମୁର ।
ଯାହାବି ରହିଛି ଏଇ ମୋ ଭଣ୍ଡାରେ
ସମର୍ପି ଦେବି ମୁଁ କର
ହେଲେ ମୋ ଦୁଆରୁ ଶୂନ୍ୟ ହସ୍ତେ କେବେ
ଯିବନି ଦେବଈଶ୍ବର ।
ଅତିଥିର ସେବା ମାଧବର ସେବା
ବଞ୍ଚିତ ମୋତେ ନ କର
ଭକତି ପ୍ରଣତି କରୁଛି ଅତିଥି
ନଇଁ ଏଇ ମଥା ମୋର ।
ଅତିଥି ଫେରିଲେ ଦାଣ୍ଡ ଦୁଆରରୁ
ଲକ୍ଷ୍ମୀ ହେଇଯାନ୍ତି ଦୂର
ଯେଉଁ ଘରେ ନିତି ଅତିଥି ସେବନ୍ତି
ସେଇତ ବୈକୁଣ୍ଠ ପୁର ।