ଆ ଜହ୍ନ ମାମୁଁ ସରଗ ଶଶୀ
ଆ ଜହ୍ନ ମାମୁଁ ସରଗ ଶଶୀ
ଆ ଜହ୍ନ ମାମୁଁ ସରଗ ଶଶୀ ତୁ
ମୋ କୁନା ଯାଇଛି ରୁଷି
ଅଝଟ କରୁଛି ଖାଇବ ସେ ଆତ
ଏତେ ତ ହେଇଛି କଷି ।
ତୁ ଯେବେ ଆସିବୁ ପାଖକୁ ତାହାର
କହିବ ସେ କଥା ହସି
ନୀଳ ଆକାଶରୁ ଧିରେ ଧିରେ ତୁହି
ତା ହାତରେ ପଡ ଖସି ।
ତୋତେ ଦେଖି ଦେଲେ ଆଖି ପଲକରେ
ସିଏ ହେଇଯିବ ଖୁସି
ମନା କରିବନି ଅଝଟ ହେବନି
ଖାଇ ଦେବ କୋଳେ ବସି ।
ଚନ୍ଦ୍ରଯାନେ ସିଏ ଯିବ ତୋର ପାଖେ
କୋଳେଇ ନେବୁ ତୁ ଆସି
ଗୋଟି ଗୋଟି କରି ଦେଖେଇବୁ ସବୁ
ମୋ ଧନ ହୋଇବ ଖୁସି ।
ପରୀ ରାଇଜକୁ ବୁଲେଇ ନେବୁ ତୁ
ପକ୍ଷୀରାଜ ପୃଷ୍ଠେ ବସି
ଯାହା ବି ମାଗିବ ମୋ ଗଳା ରତନ
ଆଣି ଦେବୁ ତୁହି ହସି ।
ତୋର ମାମୁଁ ଘର ବୁଲେଇ ନେବୁ ତୁ
କୁନା ହେବ ମୋର ଖୁସି
ନୀଳ ସାଗରର ନୀଳ ଢେଉ ଦେଖି
ଛବି ଆଙ୍କି ଦେବ ବସି ।
ଜହ୍ନ ତାରା ଭାରା ଆକାଶ ସୁନ୍ଦର
ଦେଖୁ ଥିବ ଧନ ହସି
କୁନା ସାଥେ ଆସି ଦେଖିବୁ ତୁ ମାମୁଁ
କୁମୁଦ ଭରା ସରସୀ ।
ମାଆ ଲକ୍ଷ୍ମୀଙ୍କର ଭାଇ ଯେଣୁ ତୁମେ
ମାମୁଁର ସମ୍ମାନ ବେଶୀ
ଆଲୋକିତ କର ଏ ସାରା ମୂଲକ
ଶୀତଳ ଜ୍ୟୋତ୍ସ୍ନା ପରଶି ।
ଆ ଜହ୍ନମାମୁଁ ସରଗ ଶଶୀ ମୋ
ଡେରି ତୁ କରନି ବେଶୀ
ପରୀ ରାଇଜର କାହାଣୀ ଶୁଣି ସେ
କୋଳେ ଶୋଇଯିବ ଆସି ।