ହଜିଲା ଅତୀତ କବିତା
ହଜିଲା ଅତୀତ କବିତା
କେନ୍ଦେରାଟି ଆମ ଓଡିଆ ସଂସ୍କୃତି
ଗୌରବର ପ୍ରାଣଟିଏ
କେନ୍ଦେରାର ଗୀତ ଅତି ସୁମଧୁର
ମନକୁ ସେ ମୋହି ନିଏ ।
ଲାଉ ତୁମ୍ବୀରେ ସେ ଥାଳ କରି ହାତେ
କେନ୍ଦେରାଟି ଧରି ଥାଏ
କେନ୍ଦେରାର ତାଳେ ତାଳେ ଗୀତ ଗାଇ
ଘରେ ଘରେ ବୁଲେ ସିଏ ।
ଏଇ କେନ୍ଦେରାର ଉତ୍ପତ୍ତିର ସ୍ଥଳ
କହି ବା ପାରିବ କିଏ
ନିମଡୋହି ରାଣୀ ଗୋବିନ୍ଦ ଚନ୍ଦ୍ରଠୁ
କେ କହେ ଆରମ୍ଭ ଇଏ ।
ସତୀ ନିମୋଡୋହି ଯମ ପାଶେ ଯାଇ
ସ୍ବାମୀ ପାଞ୍ଜି ଦେଖୁଥାଏ
ଗୋବିନ୍ଦଚନ୍ଦ୍ରର ଆୟୁଷ ଉପରେ
ଆଖି ତାର ପଡିଯାଏ ।
ପୁତ୍ର ମୃତ୍ୟୁ ଜାଣି ରାଣୀ ନିମଡୋହି
ବିକଳେ ଅଧିର ହୁଏ
ଯୋଗୀ କରି ଦେବି ଗୋବିନ୍ଦ ଚନ୍ଦ୍ରକୁ
ମନରେ ସଂକଳ୍ପ ନିଏ ।
ହାଡିପା ହାତରେ ଗୋବିନ୍ଦଚନ୍ଦ୍ରକୁ
ଡାକି ଟେକି ଦେଲେ ସିଏ
ଆଜି ଠାରୁ ପୁତ୍ର ହୋଇବ ମୋ ଯୋଗୀ
ଯୋଗୀ ଥାଳ ଦେଇ ଦିଏ ।
ପୁଅ ଯୋଗୀ ହେବା ଦେଖି ନିମଡୋହି
ମନକୁ ବୁଝାଇ ଦିଏ
ସେ ଦିନୁ ଟୀକା ଗୋବିନ୍ଦଚନ୍ଦ୍ର ବହି
ଘରେ ଘରେ ପଢା ଯାଏ ।
ସେ ଗୀତ ଶୁଣିଲେ ଏବେ ବି ଆଖିରୁ
ଅଶ୍ରୁ ଝରି ପଡୁ ଥାଏ
ଭଜୁକିନା ରାମ ନାମରେ ରାଜନ
ହୃଦୟରୁ ଶୁଣା ଯାଏ ।
ଯୋଗୀ ଥାଳ ଅଟେ ସ୍ବୟଂ ମହାଦେବ
ପୁଣ୍ୟର ପସରାଟିଏ
ଦୁଇ ମୁଠା ଚାଉଳ ଆଣି ଶ୍ରଦ୍ଧାରେ
ସେଇ ଥାଳେ ଦିଆ ଯାଏ ।
କେନ୍ଦେରାର ଗୀତ ବାଜିବା ସମୟ
ଖାଇବାଟା ବନ୍ଦ ହୁଏ
ଖାଲି ହାତେ କେବେ ଫେରାନ୍ତି ନି ଯୋଗୀ
ଓଡିଆର ପ୍ରଥା ଇଏ ।
ଯୋଗୀକୁ ଭୋଜନ ଦେବା ପାଇଁ ଯଦି
କିଏ ମନା କରି ଦିଏ
ସେଇ ଦିନ ନାଥ ଓପାସେ ରୁହନ୍ତି
ଖାଇ ତ ନ ଥାନ୍ତି ସିଏ ।
ଯୋଗୀ ଯିଏ ହୁଏ ଲାଉ ଖାଏ ନାହିଁ
ଏ କଥା ଭୁଲେନି ସିଏ
ତାର ପିତା ମାତା ଖାଇବି ନ ଥାନ୍ତି
ପରମ୍ପରା ବିଧି ଇଏ ।
କେନ୍ଦେରାର ଗୀତ କରେ ବିମୋହିତ
ଭୁଲି ବା ପାରିବ କିଏ
ଏ କେନ୍ଦେରା ଅଟେ ଓଡିଆ ସଂସ୍କୃତି
ପରମ୍ପରା ସ୍ମୁତି ଟିଏ ।