ହିଡ ମୁଣ୍ଡରେ ପଖାଳ କଂସା
ହିଡ ମୁଣ୍ଡରେ ପଖାଳ କଂସା
ମନେ ପଡେ ବିଲ ଧାନ କ୍ଷେତ ଚଷା
ଭାଇର ପଖାଳ କଂସା
ହିଡ ମୁଣ୍ଡରେ ସେ ଥୁଆ ହେଇଥାଏ
ଚାଷରେ ଥାଏଟି ନିଶା ।
ସକାଳୁ ଉଠି ସେ ବିଲକୁ ଯାଅଇ
ଡରେନି ଝଡି ବରଷା
ହଳ ଲଙ୍ଗଳକୁ ଧରି ଚାଲି ଥାଏ
ଶିକାରେ ପଖାଳ କଂସା ।
ବଡି ପ୍ରଭାତରୁ କେବେ ଚାଲିଯାଏ
ବିଲେ ହଳ ଧରେ ଚଷା
ସୁରୁଯକୁ ଦେଖି ବେଳ ଜାଣି ସିଏ
ଖୋଜଇ ପଖାଳ କଂସା ।
ତରବର ହେଇ ଘରଣୀଟି ତାର
ମୁଣ୍ଡରେ ପାରି ସେ ଖୋଷା
ଖାଇବା ଦରବ ସଜାଡିଣ ନେଇ
ପହଞ୍ଚି ଯାଏ ସହସା ।
ଆଳୁ, ସାରୁ, ବାଇଗଣ ପୋଡା ସାଥେ
ଜହ୍ନି ପୁସ୍ତକର କଷା
କଞ୍ଚା ଲଙ୍କା ଲୁଣ ରସୁଣ ଆମ୍ବୁଲ
ଶୁଖୁଆ ହୁଏ ପରଶା ।
ମନ ଆନନ୍ଦରେ ବିଲ ହୁଡେ ବସି
ଖାଏ ସେ ପଖାଳ କଂସା
ମନ ଜାଣି ତାର ଖାଇବା ଦରବ
ଘରଣୀ କରେ ପରଶା ।
ଖାଇ ହଳ ସାରି ଲଙ୍ଗଳକୁ ଧରି
ଫେରେ ମନେ ଭରି ଆଶା
ମାଟି ମାଆ ତାର ଜୀବନ ଅଟଇ
ସିଏ ତ ସାହା ଭରସା ।
ପରିଶ୍ରମ କରି ଫସଲ ଫଳେଇ
ପାଏ ସେ ଟଙ୍କା ପଇସା
ଅତୀତ ହେଲାଣି ସେ ପଖାଳ କଂସା
ଯନ୍ତ୍ରରେ ଚଷୁଛି ଚଷା ।
ପରିଶ୍ରମ କରି ଚଷା ଭାଇ ନିଜେ
ସୁସ୍ଥ ସବଳଟି ଥାଏ
ବସି ରହି ଏବେ ଆଳସ୍ୟ ହେଇ ସେ
ରୋଗ ଡାକି ଆଣେ ସିଏ ।
ସବୁ ଥାଇ ନର ଦୁଃଖ ସେ ପାଉଛି
ଭୋଗୁଛି ଦୁଃଖ ଦୁର୍ଦ୍ଦଶା
ନିଜ ଚାଷ ବୃତ୍ତି ଛାଡି ଦେଇ ସିଏ
ହରାଇ ବସେ ବେଉଷା ।
ସେ ପଖାଳ କଂସା କେତେ ଯେ ନୀରୋଗ
ଥିଲା ସଭିଁଙ୍କର ଆଶା
ନା ଅଛି ଆଜି ସେଇ ହଲ ଲଙ୍ଗଳ
ହୁଡାରେ ପଖାଳ କଂସା ।
ବିଲ ଚାଷ ବେଳେ କୃଷକ ଭାଇର
ଗୀତର ମଧୁର ଭାଷା
ଅତୀତ ହେଲାଣି ବୁଡି ସେ ଗଲାଣି
ହୁଡାରେ ପଖାଳ କଂସା ।।
