ଦୟାନିଧି
ଦୟାନିଧି
ଦୟାନିଧି ତୁମେ କରୁଣା ବାରିଧି
ଜଗତର ରକ୍ଷାକାରୀ
ଏ ଘୋର ସଂକଟୁ ଏଇ ଜଗତକୁ
ରକ୍ଷାକର ଚକ୍ରଧାରୀ ।
ଦ୍ରୌପଦୀର ଲଜ୍ଜା ଉଦ୍ଧାରିଲ ତୁମେ
କୋଟି ବସ୍ତ୍ର ପ୍ରଭୁ ଦେଇ
ଅହଲ୍ଯାକୁ ଶାପ ମୁକ୍ତ କରିଦେଲ
ରାମ ଅବତାର ନେଇ ।
ଘୋର ବିପଦରୁ ମୃଗୁଣୀ ରଖିଲ
ଚକ୍ର ପେଶୀ ତୁମେ କୁମ୍ଭୀର ନାଶିଲ
ଗଜର ଉଦ୍ଧାରକାରୀ ।
ଆହେ ପ୍ରଭୁ ଚକ୍ରଧାରୀ ।
ଯୁଗ ଯୁଗ ପାଇଁ ଅବତାର ନିଅ
ଭକତ ଉଦ୍ଧାର ପାଇଁ
ପାପକୁ ବିନାଶ ଧର୍ମକୁ ସ୍ଥାପନ
ନିଜ ହସ୍ତେ କର ସାଇଁ ।
ରାମ ଅବତାରେ ରାବଣ ମାରିଲ
ହସ୍ତରେ କୋଦଣ୍ତ ଧରି
କୃଷ୍ଣ ଅବତାରେ ପାଣ୍ଡବ ରଖିଲ
ଧର୍ମ ଯୁଦ୍ଧ ଥିଲ କରି ।
ଅସ୍ତ୍ର ନ ଧରି ବି ସଂହାର କରିଲ
ମାୟାଧର ମାୟା ଖେଳ ଭିଆଇଲ
ଅଧର୍ମ ନାଶିଲ ହରି ।
ଆହେ ପ୍ରଭୁ ଚକ୍ରଧାରୀ ।
ହିରଣ୍ୟକଷ୍ୟପୁ ବିଦାରଣ କଲ
ନରସିଂହ ରୂପ ଧରି
ଭକ୍ତ ପ୍ରହ୍ଲାଦ ବିଶ୍ୱାସ ରଖିଲ
ଖମ୍ବ ଭିତରୁ ବାହାରି ।
ଭକ୍ତ ସାଲବେଗ ଆରୋଗ୍ଯ କରିଲ
ଭକତ ବିଶ୍ୱାସ ଦେଖି
ଦାସିଆ ବାଉରୀ ନଡିଆକୁ ନେଲ
ଆହେ ପ୍ରଭୁ ଚକାଆଖି ।
ବିଶ୍ବାବସୁ ଠକି ଅଧାଗଢା ହେଲ
ନୀଳାଚଳ ଧାମେ ଭକତ ତୋଷିଲ
ନୀଳ ମାଧବ ଶ୍ରୀହରି ।
ଆହେ ପ୍ରଭୁ ଚକ୍ରଧାରୀ ।
ତୁମରି ଇଚ୍ଛାରେ ଚାଲିଛି ଜଗତ
ସୂର୍ଯ୍ୟ ଚନ୍ଦ୍ର ଆତ ଯାତ
ଆଲୋକ ଅନ୍ଧାର ବରଷାର ଧାର
ବହେ ଶୀତଳ ମରୁତ ।
ଭକତ ଜୀବନ ତୁମେ ନାରାୟଣ
ଭକତର ରକ୍ଷାକାରୀ
ଭକ୍ତ ପାଇଁ ତୁମେ ଏ ଧରା ଧାମକୁ
ଆସ ପ୍ରଭୁ ଅବତରୀ ।
ହୁଅ ତୁମେ ସାହା ଆହେ ଚଉବାହା
କିଏ ବା ବୁଝିବ ତୁମ ଲୀଳା ତାହା
କ୍ଷଣିକେ ଦିଅ ସଂହାରି ।
ଆହେ ପ୍ରଭୁ ଚକ୍ରଧାରୀ ।
