ଶେଜ
ଶେଜ
ଦିନସାରା ନର କରି ପରିଶ୍ରମ
ଶରୀରଟି କ୍ଳାନ୍ତ ଥାଏ
ବିଶ୍ରାମ ଟିକିଏ ନେବା ପାଇଁ ସିଏ
ଶେଜଟିଏ ଲୋଡା ହୁଏ ।
ଖୋଜେ ନାହିଁ ସିଏ ଖଟ ବା ପଲଙ୍କ
ଗଦିର ବିଛଣାଟିଏ
ଶାନ୍ତିରେ ବିଶ୍ରାମ ନେବାକୁ ଶରୀର
ଶେଜଟିଏ ଖୋଜେ ସିଏ ।
ଖୋଜେ ନାହିଁ ସିଏ କୋମଳ ନରମ
ଅବଶରେ ଭରା ଥାଏ
ମାଟି ମାଆ କୋଳେ ଶେଜ ପାରି ଦେଇ
ଶାନ୍ତିରେ ବି ଶୋଇ ଯାଏ ।
ଦୁର୍ବଳ ଶରୀର ଶେଜରେ ପଡିଲେ
ନିଦ ଆପେ ଆସି ଯାଏ
ଧିରେ ଧିରେ ଆଖିପତା ନଇଁ ଆସେ
କ୍ଷଣିକରେ ଶୋଏ ସିଏ ।
ହେଉ ସିଏ ବୃଦ୍ଧ ହେଉ ଅବା ଯୁବା
ହେଉ ସେ ରୋଗୀଣାଟିଏ
ସଭିଙ୍କ ଜୀବନେ ବିଶ୍ରାମର ପାଇଁ
ଶେଜଟିଏ ଲୋଡା ଥାଏ ।
ସେଇ ଶେଜ ପୁଣି ଯେମିତିକା ହେଉ
ସେଥିରେ ସେ ଶୋଇଯାଏ
ଶୋଇଗଲା ପରେ ଅବଶ ଶରୀର
କ୍ଳାନ୍ତ ଦୂରୀଭୂତ ହୁଏ ।
ଶିଶୁ ପାଇଁ ମାଆ କୋଳଟି ଉଷୁମ
କୋଳରେ ସେ ଶୋଇଯାଏ
ଶେଜପରି ମାଆ କୋଳଟି ତା ପାଇଁ
ସୁଖ ନିଦ୍ରା ଦେଇ ଥାଏ ।
ଜନମ କାଳରେ ଶେଜ ଲୋଡା ହୁଏ
ମରଣ କାଳରେ ସିଏ
ଶେଷ ଶେଜ ତାର କେକେଇରେ ସଜା
ହେଇ ମଶାଣୀକୁ ଯାଏ ।
ମଶାଣୀ ଜୁଇରେ ଶୋଇ ଯାଏ ସିଏ
ନା ସେ ନିଦଟି ଭାଙ୍ଗି ଥାଏ
ଶେଜରେ ଜୀବନ ଆରମ୍ଭ ତାହାର
ଶେଜରେ ବି ଶେଷ ହୁଏ ।