ହଜିଲା ଅତୀତ
ହଜିଲା ଅତୀତ
କଥାରେ ରହିଛି ମାଆ ମାଡ ଅଟେ
କୁଆ ପାଡ ଠାରୁ ହୀନ
ମାଆର ମମତା ସେନେହ ବନ୍ଧନ
ସନ୍ତାନ ଜୀବନ ଧନ ।
ସନ୍ତାନଟି ତାର ଆଖିର ପିତୁଳା
ତା ପାଇଁ କଟେ ତା ଦିନ
ଆଖିର ଆଗରୁ ଅନ୍ତର ହୋଇଲେ
ଲୋତକ ଝରେ ନୟନ ।
ଝୁରି ହେଉଥାଏ ଖୋଜି ବୁଲୁଥାଏ
ବୁଝେନି ତାହାର ମନ
ପାଇଗଲେ ତାକୁ କୋଳେଇ ନିଅଇ
କହି ମୋର ଗଳା ଧନ ।
ମନର ଆବେଗ ବଢି ବଢି ଯାଏ
ଛାତିରେ ଉଠେ କମ୍ପନ
କୋଉଠି ଥିଲୁରେ ମୋ ଗଳା ରତନ
କହି ଦିଅଇ ଚୁମ୍ବନ ।
ଗାଳି କଲି ବୋଲି ମୋ ଧନ ସଙ୍ଖାଳି
କଲୁ ଏତେ ଅଭିମାନ
ଭାଙ୍ଗି ଦେରେ ମାନ ମୋ ଜୀବ ଜୀବନ
ତୋ ପାଇଁ ବଞ୍ଚିଛି ଧନ ।
ତୁ ନ ଖାଇଲେ ପାଟିକୁ ମୋହର
ଯିବ ନାହିଁ ଅନ୍ନ ଧନ
କେତେ ଗେଲ କରି କୋଳରେ ବସେଇ
କରାଇ ଦିଏ ଭୋଜନ ।
ମାଆ ପରି ନାହିଁ ଜଗତରେ କେହି
ମାଆ ଅମୂଲ୍ୟ ରତନ
ହତାଦର ତାକୁ କରିବନି କେବେ
ଦେବନି ତ ଅପମାନ ।
ପିଲା ଭଲ ପାଇଁ ସର୍ବଦା ତା ଚିନ୍ତା
ଦେଖେ ତା ସୁଖ ସପନ
ସନ୍ତାନ ମଙ୍ଗଳ ସୁନାମର ପାଇଁ
କରେ ବି ସିଏ ଶାସନ ।
ତା ପାଇଁ ସନ୍ତାନ ଉନ୍ନତି କରଇ
ବଢେ ଯଶ ଖ୍ୟାତି ମାନ
ମାଆଟି ଯାହାର ଦୁନିଆରେ ନାହିଁ
ହେଇଥାଏ ହୀନିମାନ ।
ସ୍ନେହ ବୋଳା ତାର ସେ ମଧୁର କଥା
ନା ଭୁଲି ହୁଅଇ ମନ
ମାଆ ମାଡ ପରା ଏଇ ଦୁନିଆରେ
କୁଆ ପାଡ ଠାରୁ ହୀନ ।