ତୁମରି ନାଆଁରେ ସକାଳ ଆରମ୍ଭ
ତୁମରି ନାଆଁରେ ସକାଳ ଆରମ୍ଭ
ତୁମରି ନାଆଁରେ ସକାଳ ଆରମ୍ଭ
ହେଇଥାଏ ଏ ଧରାରେ
ତୁମରି ଆଶିଷେ ଏ ବିଶ୍ବ ସଂସାର
ହସୁଅଛି ଜଗତରେ ।
ପ୍ରଭାତ ହୋଇଲେ ହସର ଧରଣୀ
ସୂର୍ଯ୍ୟର ଆଲୋକ ଧାରେ
ଚଳ ଚଞ୍ଚଳଟି ହୋଇଥାଏ ମହୀ
ଅନ୍ଧାର ହଟଇ ଧୀରେ ।
ଶଯ୍ୟା ତ୍ୟାଗ କରି ଏଇତ ମାନବ
ନିତ୍ୟକର୍ମ ତାର ସାରେ
ଖାଦ୍ୟ ଅନ୍ବେଷଣେ ପକ୍ଷୀ ଉଡିଯାନ୍ତି
ଡେଣା ଝାଡି ଆକାଶରେ ।
ଆଳସ୍ୟକୁ ତେଜି କର୍ମରେ ତତ୍ପର
ହେଇଥାନ୍ତି ନାରୀ ନରେ
ମନ୍ଦିର ଭିତରୁ ଘଣ୍ଟ ହୁଳହଳି
ଶବଦ ଶୁଭେ କର୍ଣ୍ଣରେ ।
ହୃଦେ ଭକ୍ତି ଭାବ ଜାଗ୍ରତ ହୁଅଇ
ମନଟି ଲାଗେ ପୂଜାରେ
ତୁମକୁ ଦେଖିଲେ କାହିଁକି କେ ଜାଣି
ଏମନ ତୁମକୁ ଝୁରେ ।
ଅନେକ ଭାବନା ମନରେ ଆସଇ
ଛବି ତୋ ନାଚେ ଆଖିରେ
ମୋ ମନ ମନ୍ଦିରେ ରଖେ ମୁଁ ତୋତେରେ
ହଜେ ମୁଁ ତୋର ପ୍ରେମରେ ।
ତୁମରି ନାଆଁରେ ଆସଇ ସକାଳ
ସୂର୍ଯ୍ୟ ଥାଏ ଆକାଶରେ
ରାତି ଆସିଗଲେ ହସୁଥାଏ ଧରା
ତାରା ଜହ୍ନ ଜୋଛନାରେ ।
ତୁମେ ହିଁ ଆରମ୍ଭ ତୁମେ ହିଁ ଶେଷ
କରୁଥାଅ ଜୀବନରେ
ତୁମ ବିନା ପ୍ରଭୁ ଗଛରୁ ପତର
ନା କେବେ ସେ ଝଡି ପାରେ ।
ତୁମରି ଦୟାରେ ଚାଲିଛି ସଂସାର
ସବୁ ତ ତୁମ କୃପାରେ
ତୁମ ବିନା ପ୍ରଭୁ କ୍ଷଣିକ ଭିତରେ
ଲୀନ ହୁଏ ପ୍ରଳୟରେ ।
ଅଭୟ ଚରଣ ଶରଣଟି ଦିଅ
ଏତିକି ମାଗୁଣୀ ବାରେ
ଆହେ ଚକ୍ରଧର ବାରେ ରକ୍ଷାକର
ଆଶ୍ରୟ ତୁମ ପୟରେ ।।