STORYMIRROR

Sachidananda Kar

Abstract

3  

Sachidananda Kar

Abstract

ଏମିତି ହୁଏନି କାହିଁକି

ଏମିତି ହୁଏନି କାହିଁକି

1 min
379


         ରାତି ପାହିଗଲେ ସୂରୁଯକୁ ଖୋଜେ

                  ହେଲେ ମୁଁ ଖୋଜଇ କାହିଁକି

         ତା' ପରି ଆଲୋକ ବୁଣି ଦେବା ପାଇଁ

                  କେହି ଆଉ ସତେ ନାହିଁକି


         ଖୋଜେ ଲହରୀକି ସାଗର କୂଳରେ

                  ହେଲେ ମୁଁ ଖୋଜଇ କାହିଁକି

         ତା' ପରି ଅଧିର ଅତି ମନୋହର

                   କେହି ଆଉ ସତେ ନାହିଁକି


         ପୁନେଇଁ ରାତିରେ ଖୋଜେ ଜହ୍ନଟାକୁ

                  ହେଲେ ମୁଁ ଖୋଜଇ କାହିଁକି

         ତାହା ପରି ଶୁଭ୍ର ଶୀତଳ ଜୋଛନା

                   ସତେ କେହି ଦିଏ ନାହିଁକି


          ଖୋଜେ କୋଇଲିକି ବସନ୍ତ ଆସିଲେ

                  ହେଲେ ମୁଁ ଖୋଜଇ କାହିଁକି

          ମିଠା ମିଠା ସୁରେ ଗାଇବାକୁ ସତେ

                  ତାହା ପରି କେହି ନାହିଁକି


          ଖୋଜେ ମାଆ କୋଳ କି ସଂଜ ସକାଳ

                   ହେଲେ ମୁଁ ଖୋଜଇ କାହିଁକି

          ଯେଉଁ ସୁଖ ଶାନ୍ତି ମିଳେ ତହିଁ ନିତି

                    ଆଉ କାହିଁ ମିଳେ ନାହିଁକି


          ଦିଅଁ ଖୋଜେ ଯେବେ ଦେଉଳକୁ ଆସେ

                    ହେଲେ ମୁଁ ଖୋଜଇ କାହିଁକି

          ସେ ଯେମିତି ବୁଝେ ହୃଦୟର କଥା

                    ଆଉ କେହି ବୁଝେ ନାହିଁକି


          ସତେ ଏମିତିକା ଭଲ ଗୁଣ କିଛି

                   ନିଜ ଠାରେ କିବା ନାହିଁକି

          ନିଜକୁ ଖୋଜିବା ଖୋଜିକି ପାଇବା

                   ଏମିତି ହୁଏନି କାହିଁକି

                  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract