ମଧୁ ବର୍ଣ୍ଣବୋଧ କବିତା ମାଳା
ମଧୁ ବର୍ଣ୍ଣବୋଧ କବିତା ମାଳା
ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ
ଲାଗିଅଛି ସଦା ସଂସାରେ
ଦୁଃସମୟେ କେବେ ଦୁଃଖିତ ନ ହୋଇ
ହସି ଅପରକୁ ହସାରେ ।
ଅନ୍ୟ ଓଠେ ହସ ଦେଇ ପାର ଯେବେ
ସିଏ ଖୁସି ଲାଗେ କେତେରେ
ଯିଏ ଦେଉଥାଏ ସିଏ ଜାଣି ଥାଏ
କେତେବେଳେ ଶାନ୍ତି ଆସେ ସତେରେ ।
ଅନ୍ୟର ଜୀବନେ ଖୁସି ଯିଏ ଦିଏ
କେତେ ବଡ ତାର ଭାଗ୍ୟରେ
ତା ପରି ମହାନ ବ୍ୟକ୍ତିତ୍ବ ମଣିଷ
ବିରଳ ଏଇ ସମାଜରେ ।
ଦୁଃଖରେ କାତର ନ ହୋଇ ଜୀବନେ
ଧୈର୍ଯ୍ୟ ଧରେ ଯିଏ ସଂସାରେ
ଏଇ ଦୁନିଆରେ କଣ୍ଟକିତ ପଥ
ପାର ହୁଏ ସିଏ ଅଚିରେ ।
ନିଜେ ନିନ୍ଦା ଅପବାଦ ଯେ ସହିଣ
ଅନ୍ୟକୁ ସମ୍ମାନ ଦିଏରେ
କିଏ ସେ ହୋଇବ ତାହା ପରି ଆଉ
ତା ପାଖରେ ମଥା ନୁଏଁରେ ।
ଆଜିର ଗରିବ କାଲିର ସେ ଧନୀ
କାହାକୁ ଥଟ୍ଟା ନ କରରେ
କାହାର ମନର ଭାବନାକୁ ନେଇ
ଉଡାଅନା କାହା ମଜାରେ ।
ଅନ୍ୟ ମନେ ଖୁସି ଦେବାପାଇଁ ଯେବେ
ଦୋଷ ମାନିବାକୁ ପଡରେ
ଦୋଷ ନ ଥିଲେ ବି ମାନି ନିଅ ଦୋଷ
କ୍ଷମା ମାଗି ନିଅ ତାହାରେ ।
ନିଜେ ଦୁଃଖ କଷ୍ଟ ଯନ୍ତ୍ରଣାକୁ ସହି
ତ୍ୟାଗ କରେ ନିଜ ଖୁସିରେ
ସେଇ ଏକା ଦୁନିଆରେ ବଡ ଥାଏ
ରହି ଥାଏ ସବୁ ହୃଦରେ ।
ନିଜ ଜୀବନକୁ ବାଜି ଦେଇ ଅନ୍ୟ
ଜୀବନ ବଞ୍ଚାଏ ଯିଏରେ
ଅନ୍ୟ ଖୁସି ପାଇଁ ନିଜେ ଲୁହ ପିଏ
କିଏ ବା ତାପରି ହେବରେ ।
ଅତୁଟ ରଖିବା ସେନେହ ସମ୍ପର୍କ
କଷ୍ଟ ନ ଦେବା କା ମନରେ
ମିଛ ସନ୍ଦେହରେ କଳଙ୍କ ଦେବାନି
ଝରାଏ ସେ ଆଖି ଲୁହରେ ।
ଜୀବନ ଉପରେ କି ଅବା ଭରସା
ଏଇ ଅଛି ଏଇ ନାହିଁରେ
ଯେତିକି ବଞ୍ଚିବା ହସି ହସାଇବା
ହସିବ ଆମ ଏ ମହୀରେ ।