STORYMIRROR

Santosh Kumar Nayak

Tragedy Inspirational Others

4  

Santosh Kumar Nayak

Tragedy Inspirational Others

ଅମରୀ ଲଟା

ଅମରୀ ଲଟା

1 min
85

ଅମରୀ ଲଟା


ରାସ୍ତାର ଦୁଇ କଡରେ 

ମାଡିଚାଲିଛି ଅମରୀ ଲଟା 

ଠିକ୍ ଦୁଇ ସମାନ୍ତରାଳ

ସରଳ ରେଖା ପରି।

ପ୍ରତି ଦିନ ସେ ମରେ

ପୁଣି ଜିଇଁ ଯାଏ,

ସେଥିପାଇଁ ତ

ନାଆଁ ତାର ଅମରୀ।

ଏ ମରଣ ଆଉ ଜୀବନ ଭିତରେ

କେତେ ଯେ ଯନ୍ତ୍ରଣା

ତାହା କେବଳ ସେ ହିଁ ଜାଣେ।

କେତେବେଳେ କୁନି ପିଲାଟି

ନୂଆକରି ସାଇକେଲ ଶିଖୁ ଶିଖୁ

ଅଜାଣତରେ ମାଡିଯାଏ ତା ଇଲାକାକୁ, 

ତ କେତେବେଳେ

ପାଖ ଗାଆଁ ଟିଉସନ୍ ମାଷ୍ଟର୍

ପିଲାଙ୍କୁ କହି ଭାଙ୍ଗି ଆଣେ

ତାର ଦୁର୍ବଳ କାଣ୍ଡକୁ। 

ପତଳା ତନୁ କୁ ଦେଖି 

ମଣିଷ ସହଜରେ କହିଦିଏ

ସେ ଦୁର୍ବଳ।

କିନ୍ତୁ ନା,

ସେ ମଣିଷ ଭଳି ଦୁର୍ବଳ ନୁହଁ।

ସୁଖରେ ଜିଉଁଥିବା ମଣିଷଟି

ସାମାନ୍ୟ ଚାପର ବଶବର୍ତ୍ତୀ ହୋଇ

ଧାଇଁ ଯାଏ ଆଲିଙ୍ଗନ କରିବାକୁ ମୃତ୍ୟୁକୁ।

କିନ୍ତୁ ଅମରୀ ଲଟା

ପ୍ରତି ଦିନ ମୃତ୍ୟୁକୁ ପାଖରେ ଦେଖେ

ତଥାପି ବଞ୍ଚିବାର ମୋହ

ହିଁ ତାକୁ ବଞ୍ଚାଇ ରଖେ। 

ମଲ୍ଲୀ କିବା ଚମ୍ପା ପରି

ବାସ ନାହିଁ ତା ଫୁଲରେ,

ତଥାପି ଭ୍ରମର ଓ ପ୍ରଜାପତିର

ଅପେକ୍ଷାରେ ସେ ବଞ୍ଚେ।

ଶାଳ କିବା ପିଆଶାଳ ପରି 

ବଳ ନାହିଁ ତା ଦେହରେ,

ତଥାପି ଆଗକୁ ମାଡିଯିବା ପାଇଁ

ସେ ବଞ୍ଚେ।

କାହାଳୀ ଭଳି ନେଳି ନେଳି ଫୁଲ

କୋଉ ଦେବତାର ମଥାରେ

ଶୋଭା ପାଏନି ସେ ଜାଣେ,

ହେଲେ ବଞ୍ଚିବାର କିଛି କାରଣ ନଥାଇ

ସେ ବଞ୍ଚେ।

ଆଉ ମଣିଷ

ଅକାରଣକୁ ଏକ ବିରାଟ କାରଣ ବୋଲି ଭାବି

ମୃତ୍ୟୁକୁ କୋଳାଗ୍ରତ କରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy