ଅମଳିନ ହେବ ଯଶ
ଅମଳିନ ହେବ ଯଶ
ପଦୁଅଁ ଉପରେ ବିଜେକରୁ ବୋଲି
ପଦୁଆଁବତୀ ତୋ ନାଆଁ ,
ନୋହିବେ କେ ବଣା,ସଭିଙ୍କୁ ତ ଜଣା
ସାଗର କୂଳେ ତୋ ଗାଆଁ ।
ଜଗତର ନାଥ,ଧରିଛନ୍ତି ହାତ
ସର୍ବ ସୁଲକ୍ଷଣୀ ଜାଣି,
ନିଶ୍ଚିନ୍ତରେ ସିଏ ସମରପିଛନ୍ତି
ସଭିଙ୍କର ଦାନା, ପାଣି ।
ତୋଅରି ହାତରେ ଦେଇଛନ୍ତି ପରା
ରତନ ଭଣ୍ଡାର ଚାବି ,
ଯେତେ ଧନ, ରତ୍ନ- ବାସ,ବସ୍ତ୍ର-ଅନ୍ନ
ସବୁ ମିଳେ ତୋହ ଲାଗି ।
କରୁଣାମୟୀ ତୁ କଲ୍ୟାଣମୟୀ ଗୋ
ସର୍ବ ଜନେ କରି ଦୟା ,
ଦୂର କରିଦିଅ,ଏଇ ସଂସାରରେ
ଅଭାବ କଷଣ ଯାହା ।
ସବୁରି ଅଧରେ ହସ ଫୁଟିଉଠୁ
ଅନ୍ନ ଚିନ୍ତା ହେଉ ଶେଷ ,
ମାଆ ହୋଇ ଜନେ-ସାହା ହୋଇଲେ ଗୋ
ଅମଳିନ ହେବ ଯଶ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।