ଅଲୋଡା ଜୀବନ
ଅଲୋଡା ଜୀବନ
ସୁଦୂର ପ୍ରସାରୀ ଯାନବାହାନ ଯେ
ଚଳିଲା ଗନ୍ତବ୍ୟ ସ୍ଥଳେ
ଅପେକ୍ଷାରେ ବସି ହାଉଡା ଷ୍ଟେସନେ
ଭାସୁ ଥାଏ ଚିନ୍ତା ଜଳେ ।
ଅତି ବିଳମ୍ବ ଯେ ସମୟର ଗତି
କେବେ ହେବ ଯାତ୍ରା ମୋର
ଉଦାସରେ ବସି ଅସ୍ଥିର ପରାଣେ
ନେତ୍ର ଘୁରେ ବାରବାର ।
ସହସା ମୋ ପାଶେ ଉପସ୍ଥିତ ହୁଏ
ଅଶୀ ବରଷର ବୃଦ୍ଧା
ସତେ କି ଜୀବନ ଅବହେଳା ପାଇ
ଉଇଁଛି ଗୋଧୂଳି ସଂଧ୍ୟା ।
ହାତ ପାତି ବୋଲେ ଟଙ୍କା ଟିଏ ଦିଅ
ଶୁଷ୍କ ପେଟେ ଅଛି ମୁହିଁ
ଦୁଇ ଦିନ ଧରି ଅନ୍ନ ଜଳ ଟୋପେ
କାହିଁ ତ ମିଳିଲା ନାହିଁ ।
ଦଶଟି ମୁଦ୍ରା କୁ ହାତେ ତୋଳି ଦେଲି
ଆଶିଷ ବର୍ଷାଇ ଦେଲା
କିଛି ଦୂରୁ ଆସି କୁପୁତ୍ର ତାହାର
ମୁଦ୍ରାକୁ ଲୁଟିଣ ନେଲା ।
ଏମନ୍ତ ସମୟେ ଅକସ୍ମାତ୍ ଆସି
ତାର କନ୍ୟା ଉପସ୍ଥିତ
ଭିକାରି ବେଶରେ ମା'କୁ ଦେଖିଣ
ହୋଇଲା ସେ ସ୍ତମ୍ଭୀଭୂତ ।
କନ୍ୟା ମାତା ଦୁହେଁ ଆଲିଙ୍ଗନ ହୋଇ
କରିଲେ ବିଳାପ କେତେ
ଚିର ଦିନପାଇଁ ସାଦରେ ସାଉଁଟି
ଝିଅ ଘେନି ଗଲା ସାଥେ ।
ମା' ନୁହେଁ କେବେ ଅଲୋଡା ଜୀବନ
ମା' ତ ଅମୃତମୟୀ
କାହିଁ ପାଇଁ ଆଜି ଅବହେଳିତ ସେ
ପରିଚୟ ଧରାଶାୟୀ ।
ଦୁଃଖେ ପରିପୂର୍ଣ୍ଣ ମୋ ବେନି ନୟନ
ଦୁଷ୍ଟ ପୁତ୍ର ଗୁଣ ଦେଖି
କବି ପ୍ରାଣ ମୋର ଡାକେ ଆହେ ପ୍ରଭୁ
ନିଦ୍ରାରେ କି ଚକାଆଖି ?
