STORYMIRROR

Krushna Chandra Lenka

Drama Action Inspirational

4  

Krushna Chandra Lenka

Drama Action Inspirational

ଅକୁହା କଥା

ଅକୁହା କଥା

1 min
305

କାହୁଁ ଦୂରୁ ଉଡି ଆସି ଗଢିଥିଲୁ ବସା,

ମନେ ମନେ କେତେ କେତେ ବାନ୍ଧିଥିଲୁ ଆଶା।


ସୁରକ୍ଷିତ ଥାନ ଭାଳି ବିଦ୍ୟାଳୟେ ମୋର, 

 ଗଢିଲୁ ଯତନେ ଗଛେ ବସା ଏକ ତୋର।


କି ଆନନ୍ଦେ ସତେ ବିତେ ସମୟ ତୋହର,

କେ ଦୁଷ୍ଟ ସହସା ଆସି ଉଜାଡେ ସଂସାର।


ଡିମ୍ବ ଦେଇ ନୀଡେ ତୁହି ଜଗିଥିଲୁ ଦିନେ,

ଜନମିବେ ନବଜାତ ଭାଳିଥିଲୁ ମନେ।


ଖାଦ୍ୟ ଅନ୍ୱେଷଣେ ସିନା ଯାଇଥିଲୁ ତୁହି,

ସେକାଳେ କେ'ଆସି ଡିମ୍ବ ଭାଙ୍ଗିଦେଲା ଯାଇ।


ଖାଦ୍ୟ ଆଣି ନୀଡେ ତୁହି ଫେରିଗଲୁ ଯହିଁ,

ଭଗ୍ନ ଡିମ୍ବ ଦେଖି ତୋର ବୁକୁ ଫାଟେ ତହିଁ।


ତୁ ପରା ଜନନୀ ତୋର ସମ ନାହିଁ କେହି,

କେଡେ ଯେ ବେଦନା ପାଉ ଜାଣୁ ଏକା ତୁହି।


ତୋ ସନ୍ତାନ ତୁ ହରାଇ ପାଉ ଯେତେ ବ୍ୟଥା,

ସେତେ କ୍ଳେଶ ଲାଗେ ମତେ ପାଇ ସେ ବାରତା।


ହସ୍ତ ଯୋଡି ନିବେଦନ କରେ ମୁହିଁ ତତେ,

ମୋର ଶିଷ୍ୟେ କ୍ଷମା ଦେଇ ଶାପ ଦେଏ ମତେ।


ଅଧମ, ଅବୋଧ ଚାଟ ଅଟେ ସେ ଅଜ୍ଞାନୀ,

ନିରୀହ, ନିଷ୍ପାପ ଶିଶୁ ପାରି ନାହିଁ ଜାଣି।


ଖେଳୁ ଖେଳୁ ଡିମ୍ବ ସାଥେ ଭାଙ୍ଗିଗଲା ଯହିଁ,

ସେ କାହୁଁ ଜାଣିବ ଏହା କାଳ ତୁମ ପାଇଁ ।


ତୋ ସନ୍ତାନ ଭାଳି ତୁହି କ୍ଷମା ଦେଏ ତାରେ,

କ୍ଷମାର ସାଗର ତୁହି କ୍ଷମା ତୋ'ଅନ୍ତରେ।


ମୁଁ ଚଣ୍ଡାଳ ଗୁରୁ ତାର ଶିକ୍ଷା ଦେଲି ଯାହା,

ବିଦ୍ୟା ବିନା ଅନ୍ୟ ବାରେ କାହୁଁ ତାର ରାହା।


ବିଦ୍ୟା ଉପାର୍ଜନେ ପଥ ଦେଖାଇଚି ଯେତେ,

ବେଭାର, ଆଚର ଶିକ୍ଷା ଶିଖାଇନି ସେତେ।


ମାନବିକ ମୂଲ୍ୟବୋଧ ଅବା ନୈତିକତା,

ଶୃଙ୍ଖଳା, ସଂସ୍କାର ବାରେ ଦେଇନି ବାରତା।


ନୋହିଲେ ଏମନ୍ତ ଭ୍ରମ ସେ କରନ୍ତା କାହିଁ,

ଦିବାନିଶି ଯା'ପାଇଁ ତୁ କାନ୍ଦୁ କଇଁ କଇଁ।


ଏଥର ତୁ ଦେଏ କ୍ଷମା ତୋ ହୃଦୟୁ ତିଳେ,

ସେପାଇଁ ଗଢିବି ତାରେ ତୋର କ୍ଷମା ବଳେ।


ମାତା ପକ୍ଷୀ ତୋର ପାଶେ ନେଉଚି ଶପଥ,

ପ୍ରକୃତ ଶିକ୍ଷା ଦେଇଣ ଦେଖାଇବି ପଥ।


ଯେପାଇଁ ଚାଟ ଯେ ମୋର ହୋଇବେ ଉତ୍ତମ,

କାଳେ କାଳେ କରୁଥିବେ ନିଶ୍ଚେ ଭଲ କର୍ମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama