ନୀଳ ଝରକା ସେପାରେ
ନୀଳ ଝରକା ସେପାରେ
ଅନ୍ତହୀନ ଆକାଶ ସେପାରି ଯାଏ
ଲମ୍ଫ ଦେଇ ଖୋଜିଲି
ଛାନଭିନ କରି ଦେଖିଲି
ସବୁଆଡେ ଖାଲି ଲୁହ ଭରା ,ଭଙ୍ଗା
ହୃଦୟ ଠୁ ଯେ ଆଖି ଯାଏ।।
ମଝି ଝଡର ଆମ୍ପୁଡା ରାସ୍ତାଟାରେ
କିଏ ସେ ସୁଖୀ ଏଠି ?
ଲେଖାଥିଲା ସାଇନ୍ ବୋର୍ଡ ହୋର୍ଡିଂ ଟିଏରେ
ମୁଁ ସେଠୁ ପ୍ରଶ୍ନବାଚୀ ଚିହ୍ନଟା ଉଠେଇ ଦେଲି
ରଖିଦେଲି ବିସ୍ମୟାଦିସୂଚକରୁ ଗୋଟିଏ
ଠିକ୍ କଲି କଣ ?
ଆକାଶରେ ତ ଏବେ ଏବେ ଭସା ମେଘ ରଙ୍ଗ ବି ଲାଲ
ଘାସ ସବୁ ମୁଠା ମୁଟା ଛିଟା ପରି
ତେବେ ବି ଉହୁଙ୍କୁଥିବା
ନେଳିଆ ରଙ୍ଗର ଝରକା ସେପାଖର
ହାତ ବଡେଇଥିବା ଲୋକଟା କିଏ ?
ଝକ୍ କରି ବିଜୁଳି ମାରିଲାରୁ
ଦିଶିଗଲା ତା' ବେଣୁରୁ ଫାଳେ ।
ସ୍ବସ୍ତିରେ ଶୋଇପଡିଲା
ସବୁ ଆଖି ସକାଳ ଯାଏ
ତେଣିକି ସେଥିରେ ମୁଦି ହେଇଯାଉ
ସେ ଲୁଣିପାଣିଆ ସୁଖ କି
ବାଧ୍ୟ ହସ ମିଶା ଦୁଃଖ ।
ବଳ ତ ମିଳିଲା
ମୁଦା ଆଖିକୁ
ଚାହିଁ ଦେଲାରୁ
ନୀଳପୁରୁଷର ଚକ୍ଷୁ ଚକ୍ରକୁ।
ଏଇଲେ ପାଇଁ
ଏତିକି ଯଥେଷ୍ଟ ।
ମୁଁ ପୁଣି ଓଲଟା ଲମ୍ଫ ଟି ରେ,
ଓହ୍ଲଉଥିଲି ମାଟିକୁ
ପାଦରେ ଅଳତା ନାଇ
ଉଡୁଥିଲା ମୟୁର ପୁଚ୍ଛଟେ ପବନରେ ।