ଚାପେଚ ମଧୁସୂଦନ
ଚାପେଚ ମଧୁସୂଦନ
ଚାପ ଖେଳ ବିଧି ପାଳନ ହେଉଛି
ନରେନ୍ଦ୍ର ପୁଷ୍କରିଣୀ ରେ
ନିଦାଘ ତାପରୁ ଉପଶମ ପାଇଁ
ବିଧାନ ଶ୍ରୀମନ୍ଦିରରେ
ଶ୍ରୀମନ୍ଦିରେ ଯେତେ ପର୍ବ ହେଉଅଛି
ଚନ୍ଦନ ଯାତ୍ରା ନିଆରା
ସର୍ବାଧିକ ଦିନ ଲାଗି ରହେ ପର୍ବ
ରହିଅଛି ପରମ୍ପରା
ବୟାଳିଶି ଦିନ ଯାତ୍ରା ଲାଗି ରହେ
ବାହାରେ ପୁଣି ଭିତରେ
ଗ୍ରୀଷ୍ମ ଉତ୍ତାପ ରୁ ଉପଶମ ପାଇଁ
ଚନ୍ଦନ ଯାତ୍ରା ବିଧିରେ
ଏକୋଇଶି ଦିନ ଯାତ୍ରା ବାହାରେ
ନରେନ୍ଦ୍ର ପୁଷ୍କରିଣୀରେ
ପୁଣି ଏକୋଇଶି ଦିନ ଶ୍ରୀମନ୍ଦିରରେ
ପୂର୍ଣ୍ଣ ବିଧି ବିଧାନ ରେ
ଅକ୍ଷୟ ତୃତୀୟା ରୁ ସ୍ନାନ ପୂର୍ଣ୍ଣିମା
ଦିନ ସଂଖ୍ୟା ବୟାଳିଶି
ବୈଶାଖ ଶୁକ୍ଳ ତୃତୀୟା ତିଥି ଠାରୁ
ଜ୍ୟେଷ୍ଠ ଶୁକ୍ଲ ଚତୁର୍ଦ୍ଦଶୀ
କୃଷ୍ଣ ବଳରାମ ଶ୍ରୀଦେବୀ ଭୂଦେବୀ
ପ୍ରଭୁ ମଦନ ମୋହନ
ପଞ୍ଚ ମହାଦେବ ହିଁ ପଞ୍ଚୁପାଣ୍ଡବ
ଯାତ୍ରାରେ ହୁଏ ମିଳନ
ମାନବୀୟ ଲୀଳା ପ୍ରକଟ ହୁଅଇ
ପୋଖରୀରେ ନାବ କେଳି
ତୂରୀ ଭେରି କାହାଳୀ ବାଜଇ
ସଙ୍ଗତେ ଭକ୍ତଙ୍କ ମେଳି।
ଅକ୍ଷୟ ତୃତୀୟା ପବିତ୍ର ତିଥିରୁ
ପୂର୍ଣ୍ଣ ଏକୋଇଶି ଦିନ
ନରେନ୍ଦ୍ର ପୋଖରୀ ଚାପ ଖେଳ ପାଇଁ
ବାହାରେ ସମ୍ପନ୍ନ ଚନ୍ଦନ
ମଧ୍ୟାହ୍ନ ଧୂପ ଶେଷ ହୁଏ ଯେବେ
ଜୀଉ ହୋଇଥାନ୍ତି ବେଶ
ଚନ୍ଦନ ଚର୍ଚ୍ଚିତ ପୁଷ୍ପ ସୁଶୋଭିତ
ମହମହ ହୁଏ ବାସ
ଜୟ ଜୟ ଧ୍ୱନିରେ ବିମାନ ବଡୁଏ
ହୁଅନ୍ତି ମେଳି ସେଠାରେ
ଦଶ ଗୋଟି ଚଳନ୍ତି ପ୍ରତିମା ବିଜେ
ବିମାନ ଓ ପାଲିଙ୍କିରେ
ନରେନ୍ଦ୍ର ପୋଖରୀ କୂଳକୁ ଯାଆନ୍ତି
ହର୍ଷ ଉଲ୍ଲାସ ମଧ୍ୟରେ
ପୋଖରୀ କୂଳରେ ଛାମୁଣ୍ଡିଆ ତଳେ
ଚଳନ୍ତି ପ୍ରତିମା ରହେ
ରୂପା ପିଙ୍ଗଳ ରେ ସୁବାସିତ ଜଳେ
ପଦଧୌତ କର୍ମ ହୁଏ
ନରେନ୍ଦ୍ର ରେ ସଜ ହୋଇ ରହିଥାନ୍ତି
ନନ୍ଦା ଭଦ୍ରା ଦୁଇ ଚାପ
ନରେନ୍ଦ୍ର କୂଳରେ ଭକ୍ତଙ୍କ ଗହଳି
ହୃଦୟେ ଭକ୍ତି ଅମାପ
ରୂପା କାରୁକାର୍ଯ୍ୟ ସମ୍ପନ୍ନ ଚାପରେ
କୃଷ୍ଣ ବଳରାମ ରହି
ସାଥିରେ ଶ୍ରୀଦେବୀ ଭୂଦେବୀ ରହନ୍ତି
ପୁଣି ମଦନ ମୋହନ
ପଞ୍ଚୁପାଣ୍ଡବ ରୂପେ ମହାଦେବ ମାନେ
ଅନ୍ୟ ଚାପରେ ଆସିନ
ପୂଜାପଣ୍ଡା ସିଂହାରୀ ଓ ଗରାବଡୁ
ହଡ଼ପ ଖୁଣ୍ଟିଆ ସେବକ
ସୁଆର ବଡୁ,ପତ୍ରୀ ବଡୁ ସହିତ
ଥାଆନ୍ତି ପ୍ରତିମା ପାଖ
ଚାପ ଦ୍ବୟ ଘେରାଏ ବୁଲି ଆସନ୍ତି
ନରେନ୍ଦ୍ର ପୁଷ୍କରିଣୀ ରେ
ସ୍ନାନ ରୀତି ପୁଣି ସୁବାସିତ ଜଳେ
ତିନି କୁଣ୍ଡର ଭିତରେ
ପାଣି ଅବଗାହନ ପରେ ବେଶ ହୁଅନ୍ତି
ପ୍ରଭୁ ମଦନ ମୋହନ
ପ୍ରତିଦିନ ଭିନ୍ନ ଭିନ୍ନ ବେଶ ହୁଏ
ସମ୍ପୂର୍ଣ କୋଡ଼ିଏ ଦିନ
ବାହାର ଚନ୍ଦନ ର ଶେଷ ଦିନରେ
ଭଉଁରୀ ଖେଳ ବିଧାନ
ସାରା ଜଗତକୁ ଭ୍ରମରେ ରଖିବା
ପ୍ରଭୁ ଭଉଁରୀ ଭ୍ରମରେ
ଏକୋଇଶି ଘେରା ନୌବିହାର
ବିଧାନ ପୁଷ୍କରିଣୀରେ
ନୃସିଂହ ଜନ୍ମ ଆଉ ଭଉଁରୀ ଦିବସେ
ବିନା ବେଶରେ ଚନ୍ଦନ
ଦିନ ଓ ରାତିରେ ଚାପ ଖେଳ ହୁଏ
ପୂର୍ଣ୍ଣ ବିଧି ବିଧାନ ରେ
ଏକୋଇଶି ଦିନ ବାହାର ଚନ୍ଦନ
ପୁଣ୍ୟ ମିଳେ ଦର୍ଶନରେ
ରାତି ଚାପ ଖେଳ ତିନି ଘେରା ହୁଏ
ଦିହୁଡ଼ି ଆଲୁଅ ଥାଇ
ଚାପ ଖେଳ ପରେ ସ୍ନାନ ବିଧି ହୁଏ
ସୁବାସିତ ଜଳେ ଧୋଇ
ଭିତର ଚନ୍ଦନ ବିଧି ରହିଅଛି
ଆଲଟ ଚନ୍ଦନ ଲାଗି
ଜଗତର ତ୍ରିତାପ ହରଣ ପାଇଁ
ଜୀଉଙ୍କୁ ଚନ୍ଦନ ଲାଗି
ସକାଳର ଛତ୍ର ଭୋଗ ପରେ ପରେ
ଚାମର ଚନ୍ଦନ ଲାଗି
ଚନ୍ଦନ କର୍ପୂର ଚୁଆ ଓ କେଶର
ମିଶ୍ରଣ ସହିତ ଲାଗି
ପୁଷ୍ପାଳକ ସେବକ ସଜେଇ ଦିଅନ୍ତି
ପୁଷ୍ପ ମାଳ ଆଭୂଷଣ
ଚନ୍ଦନ ବେଶକୁ ଦର୍ଶନ କରିଲେ
ପାପ ହୁଅଇ ଖଣ୍ଡନ
ଭଉଁରୀ ଯାତ ସହ ଚଉରାଅଶି
ଅଙ୍କର ଅଛି ମହତ୍ତ୍ଵ
ସ୍ଵୟଂ ଦାରୁବ୍ରହ୍ମ ଚଉରାଶି ଘେରା
ଭ୍ରମଣ ନୌକା ସହିତ
ରଥଯାତ୍ରା ବି ଚଉରାଅଶି ଚକ
ଗୁଣ୍ଡିଚା ବାହୁଡ଼ା ମିଶି
ମଣିଷର ନିଜ ହାତରେ ଉଚ୍ଚତା
ଅଙ୍ଗୁଳି ଚଉରାଅଶି
ଚଉରାଅଶି ଘେରା ଭଉଁରୀ ଯାତ୍ରା
ଦର୍ଶନ କରିଲେ ଭକ୍ତ
ଚଉରାଅଶି ଆଙ୍ଗୁଳି ର ମଣିଷ
ଯୋନି ଜନ୍ମ ଠାରୁ ମୁକ୍ତ
ମାନବୀୟ ଲୀଳା ବର୍ଣ୍ଣନା କରିବା
ନୁହଇ ଏତେ ସହଜ
ଜଗତର ନାଥ ଜୟ ଜଗନ୍ନାଥ
ପର୍ବ ତୁମ ଅନିବାର୍ଯ୍ୟ।
ଦୋଳ ବିମାନରେ ଦୋଳ ଗୋବିନ୍ଦ
ଚାପେଚ ମଧୁସୂଦନ
ରଥାରୂଢ଼ ପ୍ରଭୁ ବାମନ ଦର୍ଶନେ
ପୁନର୍ଜନ୍ମ ନାହିଁ ପୁଣ ।।
