STORYMIRROR

Krushna Chandra Lenka

Abstract Drama Inspirational

4  

Krushna Chandra Lenka

Abstract Drama Inspirational

ଶୀତରାତି

ଶୀତରାତି

1 min
257

ନୀରବ ନିଶୀଥେ ପାଦଚଲା ପଥେ

   ଅନନ୍ତ ଆକାଶ ତଳେ,

ପଥ ଶ୍ରମ ପାଇ  ଯାଇଥା'ନ୍ତି ଶୋଇ

  କେତେ ମାଟି ମାଆ କୋଳେ ।


ଗାଆଁଠୁଁ ସହର ଘରେ ଘରେ ନର

  ଆପଣା ଜନ ସହିତେ,

ଦୂର କରି କ୍ଲାନ୍ତି ବିତାନ୍ତି ଯେ ରାତି

  କେତେ ଯେ ଆନନ୍ଦ ଚିତ୍ତେ ।


ମାତ୍ର ଏଇ ଜନ ପାଇଣ କଷଣ

  ଶୁଅନ୍ତି ଶିଶିର ଜଳେ,

କେତେ ଶୀତ ରାତି ଯାଏ ତାର ବିତି

   ଏମନ୍ତ ଦୁର୍ଦ୍ଦିନ କାଳେ ।


ମଥା ପରେ ତାର ପଡଇ ଶିଶିର

   କୁହୁଡ଼ିରେ ଭିଜେ ତନୁ,

ତା' ଶରୀର ତଳେ ନଥାଏ ଯେ ତିଳେ

    ବିଛଣା ଶୋଇବା ଦିନୁଁ ।


ନପାଇ ଆହାର ପିଇ ତିଳେ ନୀର

  ଶୋଇପଡ଼େ କେତେ କ୍ଳେଶେ,

ଉଦରର ଜ୍ୱାଳା ସାଥେ ତୋର ଲୀଳା

   ଜୀବନେ ତାହାର ଆସେ ।


ସତେ ଅବା କେହି ସାହା ତାର ନାହିଁ

   ଏ ଜନସମାଜ ପାଶେ,

କେତେ କେତେ କ୍ଳେଶ ନାହିଁ ଯା'ର ଶେଷ

    କାହିଁ ତା' ଜୀବନେ ଆସେ?


କ୍ଳାନ୍ତ ଦୂର ପାଇଁ  ପଡିଥାଏ ଶୋଇ

   ଯେ'ଥାନେ ଯେମନ୍ତ ଢ଼ଙ୍ଗେ,

ଦେଖି ତାର ବେଶ  ସାଥେ ପରିବେଶ

   କେଡେ ଦୁଃଖ ସତେ ଲାଗେ!


ଘୋଡ଼ି ହେବା ପାଇଁ ଦେହେ କନା ନାହିଁ

    ଥରୁଥାଏ ସାରା ରାତି,

ଏମନ୍ତ ଦୁର୍ଦ୍ଦିନେ  କିମ୍ପାଇଁ ଏ'ଥାନେ

   ତୁହି ଆସୁ ତାର କତି ।


ତିଳେ ବି ସାହସ ଅଛି ଯଦି ତୋର

   ଯାଆ ତୁ ଧନୀକ ପାଶେ,

ଉଚ୍ଚ ଅଟ୍ଟାଳିକା  ଗୃହେ ତୁ ପ୍ରବେଶି

   ଦେଖା ଦେଏ ତାର ବାସେ ।


କେତେ ଯେ କମ୍ବଳ  ଅଛି ତା' ସମ୍ବଳ

    ପଡିଥାଏ ଦେହେ ତାର,

ତା' ବଦନ ଛୁଇଁ  ପାରିବୁ କି ତୁହି

   କହ ଆରେ ରାତ୍ରିଚର?


କେଡେ ତୁହି ଭୀରୁ  ଜଣାପଡିଗଲା

   ତୋର ଏଇ ଭୀତି ଦେଖି,

ଅନାଥର ପାଶେ  ଦୀନ ଦୁଃଖୀ ବାସେ

   କାହିଁ ମନ ଯାଏ ଲାଖି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract