STORYMIRROR

Krushna Chandra Lenka

Drama Action Inspirational

4  

Krushna Chandra Lenka

Drama Action Inspirational

ଦୋ'ଛକି

ଦୋ'ଛକି

1 min
438

ବନ ରାଜା ସିଂହ ଶିକାର ସାରି,

ଦରବାରେ ଦିନେ ଆସିଲା ଫେରି।

କଞ୍ଚା ମାଂସ ମେଞ୍ଚେ ଭକ୍ଷଣ କରି,

ଫେରିଲା ଆନନ୍ଦେ ଉଦର ଭରି।

ବସି ସିଂହାସନେ କହିଲା ସିଂହ,

ମୁଖ ବାସ ମୋର କେମନ୍ତ କୁହ?

ହରିଣ ଶାବକ ପ୍ରଥମେ ଆସି,

ରଜା ମୁଖ ଦେଖି ଦେଲା ସେ ହସି।

କହିଲା, କି' ଗନ୍ଧ?ଛାଡ଼ୁଚି ମୁଖ

ସତ କଥା ଶୁଣି ବଢିବ ଦୁଃଖ।

ହରିଣ ବଚନ ଶୁଣିଣ ରଜା,

ଶୁଣାଇଲେ ମୃତ୍ୟୁ ଦଣ୍ଡର ସଜା।

ତା'ପରେ ପଡ଼ିଲା ଶୃଗାଳ ପାଳି,

ଚତୁର ଶୃଗାଳ ହୋଇଲା ଭାଳି।

କିସ ମୁଁ କହିବି ଏ ରଜା ପାଶେ,

ତିଳେ ବୁଦ୍ଧି କାହିଁ ମୁଣ୍ଡେ ନ ଆସେ?

କହିଲା ଶୃଗାଳ ମୋ କଥା ଶୁଣ,

ମଲ୍ଲୀଫୁଲ ପରି ମହକ ଜାଣ।

ଶୁଣି ଶୃଗାଳର ଏମନ୍ତ କଥା,

ଗରଜିଲା ସିଂହ ବଢ଼ାଇ ବ୍ୟଥା।

କେଡେ ଚାଟୁଦାର ତୁହି ଶୃଗାଳ,

ଏଥର ଜାଣ ତୋ' ପୂରିଲା କାଳ।

ଏହା କହି ସିଂହ ଶୃଗାଳ ପରେ,

ଡିଆଁ ମାରି ପ୍ରାଣ ନାଶିଲା ତାରେ।

ଶୃଗାଳ ଜୀବନ ଗଲା ସେ କ୍ଷଣି,

ପ୍ରଜାଗଣ ଭୟେ ରହିଲେ ଜାଣି।

ଏଣେ ତେଣେ ତିଳେ ସମ୍ରାଟ ଚାହିଁ,

ଭାଳିଲେ କା'ପାଳି ଆସିବ ତହିଁ?

ବସିଥିଲା ପାଶେ ଠେକୁଆ ଏକ,

ପଚାରିଲେ ରଜା ଦେଖି ତା ମୁଖ।

କହ ତୁ ଠେକୁଆ କହ ଯେ ସତ,

ନୋହିଲେ ତୋ ପ୍ରାଣ ଯିବ ନିଶ୍ଚିତ।

ରାଜା କଥା ଶୁଣି ଠେକୁଆ ମନ,

ଭୟେ ଥରୁଥିଲା ତାର ବଦନ।

ଦୋ'ଛକିରେ ସେତ ରହିଲା ଜାଣି,

କି ଉତ୍ତର ଦେବ ଭାଳିଲା ପୁଣି?

ବୁଦ୍ଧି ବାଟ ଦିଶେ ନାହିଁ ଯେ ଏତେ,

ପାଞ୍ଚିଲା ଉପାୟ ସହସା ଚିତ୍ତେ।

ବାର ବାର ଶୁଙ୍ଘି ସିଂହର ମୁଖ,

ମଉନ ରହିଲା ନ କହି ଦୁଃଖ।

ପଚାରିଲେ ରାଜା କହୁନୁ କିଆଁ,

କିମ୍ପାଇଁ ନୀରବ ଅଛୁ ଠେକୁଆ?

ଦୁଇ ଚାରି ଥର ଶୁଙ୍ଘିଣ ପୁଣି,

ମଉନ ରହିଲା ଠେକୁଆ ଜାଣି।

କିଛି କ୍ଷଣ ପରେ ଖୋଲିଣ ମୁଖ,

କହିଲା ଠେକୁଆ ଶୁଣ ମୋ ଦୁଃଖ।

ଗତକାଲି ରାତ୍ରେ ଖାଇଚି କୋଳି,

ସେ'ପାଇଁ ନାକ ମୋ ଯାଇଚି କିଳି।

ମହକ କି ଗନ୍ଧ ପାରୁନି ବାରି,

ଯେତେ ମୁଁ ଶୁଙ୍ଘିଲେ ଯାଉଚି ହାରି।

ଶୁଣି ସିଂହ ରାଜା ଠେକୁଆ କଥା,

ଦରବାର ଆଗେ ନୋଇଁଲେ ମଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama