ବାପା
ବାପା
ବାପା ତମେ
ଆଉ ଜଣେ ମିଛୁଆ ରାଧୁଆ,
ସତ କହିବାକୁ କିଆଁ ଡରିବି
ସତ କହି ପଛେ ମଲେ ମରିବି " ବୋଲି ମତେ ଶିଖେଇ
ନିଜେ ଦି ଖଣ୍ଡ ପାର୍ଲେଜି ବିସ୍କୁଟ ଖାଇ
ବିରିୟାନୀ ଖାଇଥିବାର
ଅଦ୍ଭୁତ ଅକଳ୍ପନୀୟ ଢଙ୍ଗରେ ଅଭିନୟଟିଏ କର,
ହେଲେ ଧରା ପଡିଯାଅ
ଯେବେ ତଣ୍ଟିରେ ମୃତସତ୍ୟଟି
ମାଛକଣ୍ଟା ପରି ଅଟକିଯାଏ ଅଧାରେ l
ପେଟ ତମର ଭୋକ ଚି଼ହ୍ନେନି
କି ଆଖି ତମର ଲୁହ ଗଣେନି,
ଦେହ ତମର ନୂଆ ସାର୍ଟ ଖୋଜେନି
କି ପାଦ ଯୋଡ଼ିକ କେବେ ଚପଲ ପିନ୍ଧେନି l
ମୋର ନଅଙ୍କ ଦୁର୍ଭିକ୍ଷ ସମାନ
ଭୋକ ସବୁକୁ
ମୁଁ କଚାଡି ଦିଏ ତମ ମୁଣ୍ଡ ଉପରେ
ଆଜି ଲୁଣ ନାହିଁ
କାଲି ପରିବା ନାହିଁ କହି
ବୋଉ ନିତି ଗର ଗର ହେଇ
ତାର ହକ ସାବ୍ୟସ୍ତ କରେ
ସତେ ଯେମିତି
ତମେ ତାର ଏକମାତ୍ର ଚରମ ଶତ୍ରୁଟିଏ l
ତମର କଣ କେବେ ଇଚ୍ଛା ହୁଏନି
ଓଜନିଆ ଲୁହ ଦି ଟୋପା
ଗଡ଼େଇ ଦେଇ
ସବୁଥିରୁ ନିସ୍କୃତି ପାଇଯିବାକୁ?
ତମର କଣ ଇଚ୍ଛା ହୁଏନି
ପେଟ ଭର୍ତ୍ତି ଭଲ ଦି ଗୁଣ୍ଡା ଖାଇବାକୁ ?
ନୂଆ ଚପଲ ହଳେ
କି ନୂଆ ଡ୍ରେସ ହଳେ ପିନ୍ଧିବାକୁ l
ବାପା ତମେ
ବାଲିଆ ଜନ୍ଦାଠାରୁ ଆହୁରି ଜିଦ୍ଦିଆ,
ଦିନସାରା ଚକିରେ ବିରି ରଗଡ଼ି ହେଲାପରି
ଦି ଫାଳ ହେଲା ପରେ ବି
ତମର କ୍ଲାନ୍ତି ଆସେନି
ଅପେକ୍ଷା କରିଥାଅ ମୋ ଶୋଇବା ଯାଏଁ l
ମୋ ପାଇଁ ତମେ ଆଇନଷ୍ଟାଇନ
ମୋ ପାଇଁ ତମେ ବିଲ ଗେଟ୍ସ
ତମେ ହିଁ ଆଲ୍ଲା, ଯୀଶୁ, ରାମ, ଜଗନ୍ନାଥ
ଆଉ ମୁଁ ବାରମ୍ବାର ଚାହେଁ
ତମ ପରିଚୟରେ ପରିଚିତ ହେଉ
ମୋର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ l