STORYMIRROR

Janmejaya Panda

Abstract Inspirational

3  

Janmejaya Panda

Abstract Inspirational

ମୃତ୍ୟୁ

ମୃତ୍ୟୁ

2 mins
197

ଦିନରେ ବାରମ୍ବାର ମରୁଥିବା ମୁଁ

ପୁଣି ଡରେ କେଉଁ ଏକ ଆସନ୍ନ ମୃତ୍ୟୁର ଆଶଙ୍କାରେ

ଆଶା ଆଉ ଆଶଙ୍କାର କୁରୁକ୍ଷେତ୍ରରେ

ମୃତ୍ୟୁ ହିଁ ସାରଥୀ ହେଇ ଆସିବ

ଏ କଥା ମୁଁ ଦାର୍ଶନିକ ଜିବ୍ରାନଙ୍କ ଜିବନୀ ପଢ଼ି ବୁଝିଯାଇଥିଲି

ତଥାପି ମୃତ୍ୟୁଟା ଯେ ଅପରିବର୍ତ୍ତନୀୟ, ଅଣଲେଉଟା ଓ ଅନିଶ୍ଚିତ

ସେ କଥା ହୁଏତ ଭୁଲିଯାଇ

ଅବା ଜାଣି ବି ନ ଜାଣିବା ପରି ମୋହାବିଷ୍ଟ ହେଉଥିଲି l

ମୃତ୍ୟୁ ଆସେ

ତାକୁ ଆସିବାକୁ ହୁଏ

ହୃଦୟର ଦରଜାକୁ ଖଟ ଖଟ କରିବାକୁ ହୁଏ,

ଝରକା ସେ ପାଖେ ରହି

ନିଃଶ୍ୱାସକୁ ତାଚ୍ଛଲ୍ୟ କରିବାକୁ ହୁଏ,

ଥମ୍ସଅପ ବୋତଲ ରେଷ୍ଟ୍ର ଲଗେଇ ପିଇଲା ପରି

ଜୀବ ଶକ୍ତିକୁ ଶୋଷି ନେବାକୁ ହୁଏ l

ସେ କ'ଣ ଜାଣି ଶୁଣି ଏମିତି କରେ ?

ନା ନା... ଏ ତାର ଧର୍ମ

ସେ ବି ବୋପା ଅନ୍ତେ ବିଲେଇ ବାନ୍ଧି ପୂଜା କରିବା ପ୍ରକ୍ରିୟାରେ

ସାମିଲ ହୋଇଯିବାକୁ ଚାହେଁ l

ମୃତ୍ୟୁ ହସେ

ଖୁବ ହସେ... ଉପହାସ କରେ

ମୋର ଆତ୍ମୀୟ ମାନଙ୍କୁ ଜୁଇ ଚାରିପଟେ ଦେଖି

କାନ ପାଖେ କହିଯାଏ " ଦିନେ ନାହିଁ କାଳେ ନାହିଁ ଗହ୍ମାପୁନେଇଁରେ ମାଇଁ ମାଇଁ l"

ଖଇ ଆଉ ଟଙ୍କାର ଝୁଣୁ ଝୁଣୁ ଶବ୍ଦରେ

ସେ ଆହୁରି ରାଗିଯାଏ

ଗୁମାନ କରେ

ସେଥିପାଇଁ ବୋଧେ ୱାଇଲଡ଼ ଷ୍ଟୋନ, ଫଗ ଆଦିରେ ମହ ମହ ବାସୁଥିବା ଶରୀରଟା ଆଜି ଉତ୍କଟ ଗନ୍ଧରେ ଭରିଯାଏ

ସମ୍ବନ୍ଧ ଆଉ ସମ୍ଭୋଗର ଉଷ୍ମତା ଖୋଜୁଥିବା ଦେହଟା

ହେମାଳ ପାଲଟି ଯାଏ l

ମେଞ୍ଚାଏ ଧୂଆଁ ମତେ ଟାଣି ନେଇ

ବାଟେଇ ଦେଇ ଆସନ୍ତି

ପ୍ରେତ ଯୋନିକୁ,

ଯେମିତି ମେଳାରେ ହଜିଯାଇଥିବା ପିଲାକୁ

କେହି ଜଣେ ସହୃଦୟ ବ୍ୟକ୍ତି

ବାଟ କଢ଼େଇ ନିଅନ୍ତି ନିରୁଦ୍ଧିଷ୍ଟ କେନ୍ଦ୍ରକୁ l

ଅବର୍ତ୍ତମାନରୁ ନିଜର କାୟା ବିସ୍ତାରିଛି ଯିଏ

ତାକୁ କଣ କେବେ ଫାଙ୍କି ଦେଇ ହୁଏ ?

କେବଳ ଫାଙ୍କିବାର ଅପଚେଷ୍ଟା ଟିଏ କରାଯାଏ

ମୋହମଗ୍ନ ହେଇ l

ଯେମିତି ନିଆଁ ହିଁ ତାର ଚରମ ଓ ପରମ ଲକ୍ଷ୍ୟ

ଜାଣିବା ପରେ ବି ନିରୀହ ପତଙ୍ଗ

ସେହି ନିଆଁର ସାନ୍ନିଧ୍ୟ ଖୋଜେ

ଆଉ ନିଜର ଭରା ଯୌବନକୁ ଉନ୍ମୁକ୍ତ କରିପକାଏ

ପରସ୍ତ ପରେ ପରସ୍ତ ବସ୍ତ୍ର ଖୋଲି ଉଲଗ୍ନ ହେଇଯାଏ

ଜୀବନର ଶ୍ରେଷ୍ଠ ଅନୁଭୂତିକୁ

ସାଉଣ୍ଟି ନେବାପାଇଁ,

କ୍ଷଣକରେ ଶିହରି ଯିବା ପାଇଁ,

ଆଉ ଜଳି ଜଳି ପାଉଁଶ ହେଇଯିବା ପାଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract