STORYMIRROR

Janmejaya Panda

Others

3  

Janmejaya Panda

Others

ଭୋକ

ଭୋକ

2 mins
218

ଭୋକକୁ ମୁଁ ପ୍ରଥମେ ଭେଟିଲି

ଏନ୍ତୁଡ଼ି ଶାଳରେ

ବୋଉର ସ୍ତନରେ

ଆଉ ଶୋଷିଚାଲିଥିଲି ଅମୃତସବୁ

ଅନାୟାସରେ

ଗାଁ ବନ୍ଧର କାଳିଆ ଜୋକ ପରି l


ହୁକଦିଆ ପ୍ୟାଣ୍ଟ,

ବୋଉର ସିଆର ପରି ସୁନ୍ତାଣ ଭାଙ୍ଗିବା,

ସିଲଟରେ ତିନିଟା ଗୋଲ ଆଙ୍କି ଦେଇ 

ତାକୁ ଇ ସତ ପୃଥିଵୀ ଭାବିନେଉଥିବା,

ଆଉ ସୁସୁ ପାଇଁ ଜାଗା ବାଛୁନଥିବା ବୟସରେ

ଭୋକ ସହ ହେଲା ଦ୍ୱିତୀୟ ସାକ୍ଷାତ l

ଜୀବନର ମହାମନ୍ତ୍ର

"ଅୟଂ ନିଜୋପରୋବେତି ଗଣନା ଲଘୁଚେତସାଂ

ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ l"

ନଜାଣି ବି

ଆପଣାର ପଣରେ ସାଉଣ୍ଟିନେଉଥିଲି ସଭିଙ୍କୁ

ଆଉ ହଜାରେ ଆକଟ ପରେ ବି

ମଣ୍ଡାଖିଆ ଅସୁର ପରି

ଖାଇଯାଉଥିଲି ୟା ଘରେ,ତା ଘରେ ପଶି

ବାବୁଲି ପାଣିଗିରି ଘରଠୁ ଶଙ୍କର ନାଏକ ଘର ଯାଏଁ l



ସେଦିନ ବୋଉର ଶକ୍ତ ଚଟକଣା ପରେ

ଭାବିଥିଲି ଭୋକର ମୁହଁ ଚାହିଁବିନି

ହେଲେ ଭୋକ ମୋର ପିଛା ଛାଡ଼ିନଥିଲା 

ତୃତୀୟଥର ପାଇଁ ମୁହାଁ ମୁହିଁ ହେଲି

ନବମ ଶ୍ରେଣୀରେ l

ସୁର ଗୁରୁଜୀଙ୍କ ସାନ୍ନିଧ୍ୟରେ

କିଶୋର ରକ୍ତଗୁଡ଼ାକ ଟକମକ ହେଇ ଫୁଟୁଥିଲେ

ବରା ଛାଣୁଥିବା ତତଲା ତେଲ କଡ଼େଇ ପରି 

କିଛି ଗୋଟେ କରିପକେଇବାର ଅଦମ୍ୟ ଇଚ୍ଛାରେ

ସବୁକିଛିକୁ ପରିବର୍ତ୍ତନ କରିଦେବାର ଅସୀମ ଆକାଂକ୍ଷାରେ l



କିନ୍ତୁ ଭୋକ ଗୁଡ଼ାକ

ମୋଡ଼ ବଦଳେଇ ସାରିଥିଲେ

ଯୌବନରେ ପାଦ ଥାପୁ ଥାପୁ ,

କାମନାର ତକିଆ ସନ୍ଧିରେ

ମୁଣ୍ଡ ଟେକୁଥିଲେ 

ଜାଆଁଳ ପୋଖରୀର କୁନି ବାଳିଆ ମାଛପରି l



ଭୋକ ସହ ଚତୁର୍ଥ ଦେଖା ହେଲା ମୋର

ପ୍ରେମିକାର ମସୃଣ ମାଂସଳ ଓଠରେ ,

ଅଳତା-ଦୁଧ ମିଶା ତା ଦେହରେ,

ପ୍ରେମର ପରିଭାଷା ଖୋଜୁ ଖୋଜୁ

ଆଣ୍ଠେଇ ପଡ଼ିଥିଲି

ଯୌବନର ଉଦ୍ଦାମତା ପାଖରେ l



ମୋର ପଦାଙ୍କ ଅନୁସରଣ କରିବା

ଯେମିତି ସେମାନଙ୍କର ଜନ୍ମସିଦ୍ଧ ଅଧିକାର

ଠିକ ସେମିତି ନିର୍ଲଜ ଭୋକ ଗୁଡ଼ାକ

ଛାତି ଦେଖେଇ ଅପେକ୍ଷା କରିଥିଲେ ଚଉଠି ରାତିରେ

ଦୀପ ଲିଭିବା ପାଇଁ,

ମୋ ସହ ପଞ୍ଚମ ପାନିପଥ ଯୁଦ୍ଧ ପାଇଁ,

ବୋଧେ ସେମାନେ ଭାବୁଥିଲେ ମତେ ମରାଠା ସଦାଶିବ

ଆଉ ନିଜକୁ ଅହମ୍ମଦ ଶାହ ଅବଦଲ୍ଲୀ l



ବଳୀ ପରି ଭୋକର ପାଦରେ

ଚାପି ହେଇଯିବା ପରେ

ଭାବିଲି ଏଥର ନିର୍ବାଣ ପାଇଯିବି l

ହେଲେ ଭୋକ ରୂପାନ୍ତରିତ ହେଇ

ପୁଣି ଆସି ବସିଗଲା ମନର ନିଷିଦ୍ଧ ଇଲାକାରେ 

ସନ୍ତାନର ମହାମୋହରେ,

ତାର କୁନି କୁନି ପାଦରେ,

କୁଆଁ କୁଆଁ ରାବରେ,

ତାର ସେଇ ସୁସୁ ଭିଜା ମୋର ଉଷ୍ମ ଗାମୁଛାରେ l

ଏଥର କିନ୍ତୁ ତାର ପାଇବାର

କି ନେଇଯିବାର ଲୋଭ ନଥିଲା

ଖାଲି ଦେଇ ଚାଲିଥିଲା ସମ୍ମୋହନରେ l





କଲେକ୍ଟର ପୁଅର ରାହା ଦେଖୁ ଦେଖୁ

ସାହା ଖୋଜୁ ଖୋଜୁ

ପୁଣି ଭେଟିଲି ଭୋକକୁ ଶେଷଥର ପାଇଁ

ଯେତେବେଳେ ବୁଢ଼ୀ ମୋର

ବଢ଼େଇ ଦେଲା

ଚେମେଡ଼ା ମେରୀ ଗୋଲଡ ବିସ୍କୁଟ ଦି ଖଣ୍ଡ

ଆଉ କପେ ପାଣି

ଯୋଉ ପାଣିରେ ଲୁହ ଆଉ ଲହୁ ଏକାକାର ହେଇଯାଉଥିଲେ

ତାକୁ ବିବଣ୍ଣ କରି ଦେଉଥିଲେ l



ଭୋକର ଏତେ ରୂପ ଦେଖିଲା ପରେ

ଆଉ ଭୋକ ଲାଗୁନି

ସବୁକିଛି ନିର୍ବାପିତ ହେଇ ସାରିଛି 

ଏବେ ଖାଲି ଶୋଷ

ହଁ ହଁ ଭାରି ଶୋଷ...... l






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍