ଅଜଣା ରାଇଜେ କବି
ଅଜଣା ରାଇଜେ କବି
ତୁମ ଅଭିମାନ ଚହଲାଏ ମନ
ସାଇତି ପାରେନା ଆଜି
ଅମୃତ ବରଷା ସତେକି ବରଷି
ତନୁ ମନ ଗଲା ଭିଜି ।
ତୁମେ ପ୍ରିୟ ବନ୍ଧୁ ଉଇଁଲ ଭାଗ୍ୟରେ
ଅବେଳେ ଝାଉଁଳି ଯିବ
କବି ରାଇଜରେ ପାଦ ଥାପି ଦେଲ
ପ୍ରଶ୍ନୋତ୍ତରେ ଛନ୍ଦା ହେବ ।
କବିଙ୍କୁ ବୁଝିବା କି ଅବା ମାପିବା
ଅଯଥା ସମୟ ନଷ୍ଟ
ହୃଦୟରେ ତା'ର ଦୁଃଖର ପାହାଡ଼
କରେ ନାହିଁ କିଛି ସ୍ପଷ୍ଟ ।
ଭିନ୍ନ ଏକ ରାଜ୍ୟେ ଗଢା ତା ଦୁନିଆଁ
ସେଠି ନାହିଁ ଡର ଭୟ
ଚଉଦିଗ ଘୂରେ ଭାବନାର ଦୃଷ୍ଟି
ଲେଖନୀ ମୁନରେ ଥୟ ।
କ୍ଷଣିକରେ ସୃଷ୍ଟି କୋଣାର୍କ ମନ୍ଦିର
ନିମିଷକେ ବୀଚିମାଳା
ଗଗନ ଛାତିରୁ ଝୁଲଣା ଝୁଲାଏ
ଗୁନ୍ଥି ଦେଇ ହୀରା ଲୀଳା ।
ଖୋଲା ରାହା ପଥେ ନିରାଶ୍ରୟ ପ୍ରାଣ
ମନସେ କରିଲେ ବାସ
ସମ୍ବାଦ ଖୋରାକ ସାଇତି ରଖେ ସେ
ବେପରୁଆ ପର୍ଦ୍ଦାଫାଶ ।
କବି ହୃଦୟରେ ସହସ୍ର ତଟିନୀ
ରେଖା ଚିତ୍ର ରୂପେ ଭାସେ
ପ୍ରକାଶିତ ତା'ର ଅସତ୍ୟ ମଣିବେ
ମିଥ୍ୟା ପ୍ରଶଂସିତ ଆସେ ।
କ୍ଷୁଧାକୁ ପେଡିରେ ଆପଣା ଆୟତ୍ତେ
ନିଦ୍ରା ଯେହ୍ନେ ତୁଳା ପରି
ସ୍ବଚ୍ଛ ନିରିମଳ ବାକ୍ୟରେ ସତ୍ୟତା
କବିର ସୁନ୍ଦର ଶିରୀ ।
ଲେଖନୀରେ ପ୍ରୀତି ଛନ୍ଦରେ ଆସକ୍ତି
କବିତ୍ଵ ପୂର୍ଣ୍ଣାଙ୍ଗ ପାଇଁ
ଅନ୍ତରାଳେ ଦୁଃଖ ସମ୍ମୁଖରେ ସୁଖ
ଅଭିନୟ ଚିର ସ୍ଥାୟୀ ।
ପଞ୍ଚଆତ୍ମା ଦ୍ଵାର ସର୍ବଦା ଉନ୍ମୁକ୍ତ
କଳ୍ପନା ଜଳ୍ପନା ଛବି
ଏମନ୍ତ ଲକ୍ଷଣ କରିଲେ ଧାରଣ
ଜଗତରେ ହେବ କବି।।