ଅଜାଙ୍କ ଗପ
ଅଜାଙ୍କ ଗପ
ବଗିଚାରେ ଥାଇ ନାତି ନାତୁଣୀଙ୍କୁ
କହିଲେ ଅଜା ବସାଇ
ଜୀବନରେ କେବେ ଦାନ ଦେବା ପରେ
ତୁଣ୍ଡ ଖୋଲିବନି କେହି।
ବିବାହ ଅଥବା ଶୁଦ୍ଧିକ୍ରିୟା ଭୋଜି
ଯଦିରେ କାହାକୁ ଦେବ
ମୁଣ୍ଡ ଗଣିବନି ନହେଲେ ତୁମର
ଦାତାପଣ ନଷ୍ଟ ହେବ।
ଘର ତିଆରିଲେ କେତେ ଟଙ୍କା ଖର୍ଚ୍ଚ
ଲେଖିବନି ଖାତା ଧରି
ନହେଲେ ଆୟୁଷ ଖସିବ ନିଶ୍ଚୟ
ଲୁହ ପଡୁଥିବ ଝରି।
ଗଛଟେ ଲଗାଇ ଫଳ ଆଶା ମୋଟେ
କରିବନି କେହି ଧନ
ଯଦି ଫଳ ଫୁଲ ନଦେଲେ ବି ଗଛ
ଛାଇ ଅମ୍ଳଜାନ ଦାନ।
ଦୋଷ କରି ଯଦି କ୍ଷମା ମାଗିନେବ
ସଂସାରେ ସାହସୀ ଜାଣ
ପ୍ରତିଶୋଧ ବିନା କ୍ଷମା ଆଚରଣ
ଶକ୍ତିଶାଳୀ ତା' ପରାଣ।
ଯଦି ସବୁକିଛି ଭୁଲିଯାଅ ଆଉ
ଭାଇଚାରା ମନେ ଘେନ
ସଂସାର ହାଟରେ ସେହି ମହାସୁଖୀ
ଈଶ୍ବରଙ୍କୁ ଥାଇ ଧ୍ଯାନ।
ନିଜ ସୁନ୍ଦରତା ଦେଖେଇ ନହୋଇ
ସଂସ୍କାର ସଜଡା଼ ହେଉ
ସୁନ୍ଦରତା ଦିନେ ଲୀନ ହୋଇଯିବ
ସଂସ୍କାର ହିଁ ଦାଉଦାଉ।
ଯାହା କହିଗଲି ବୁଝିବରେ ସବୁ
କରମେ ଲାଗିବ ଯଦି
ମରିକି ଅମର ଏ ଧରା ଧାମରେ
କେହି ପାରିବେନି ଛେଦି।
ହେ ମୋର ଭବିଷ୍ଯ ନାତି ଓ ନାତୁଣୀ
ଏହି ଅନୁରୋଧ ମୋର
ଶୁଣିକି ସଭିଏଁ ଶପଥ ସହିତ
କରିଗଲେ ନମସ୍କାର।
ଅଜାଙ୍କର ଏହା ଥିଲା ନୀତିବାଣୀ
ଜଗତେ ହୋଇଛି ସଜା
ଭୁଲିବେନି କହି ଚାଲିଲେ ସଭିଏଁ
ଉଡା଼ଇ ମନରୁ ଧ୍ବଜା।
