ଐଶ୍ଵର୍ଯ୍ୟ ମଣ୍ଡିତା
ଐଶ୍ଵର୍ଯ୍ୟ ମଣ୍ଡିତା
ଐଶ୍ଵର୍ଯ୍ୟ ମଣ୍ଡିତା ପ୍ରକୃତିର ଚିତା
ଶରତ ପକାଇ ଫେରେ
ନଦୀ ତଟନୀରେ କେଡେ ଶୋଭନୀୟ
କାଶ ତଣ୍ଡି ପୁଷ୍ପ ଭରେ।।
କେତେ ସେ ମଞ୍ଜୁଳ ଶୁଭ୍ର ତାର ପୁଷ୍ପ
ତୀର ଆଚ୍ଛାଦିତ କରେ
ନୟନ ଦେଖିଣ ଦର୍ଶନୀୟ ସ୍ଥାନ
ଆତ୍ମ ସନ୍ତୋଷ ସେ କରେ।।
ମରୁତ ଚଳିଲେ କାଶତଣ୍ଡି ପୁଷ୍ପ
ଢେଉ ଢେଉକା ସେ ଖେଳେ
ନଦୀ ନୀର ସମ ଉଛୁଳି ପଡ଼ଇ
ସୌନ୍ଦର୍ଯ୍ୟ ଆବୃତ ଚଳେ ।।
ଗହନ ବନର ଶୁଭ୍ର ପୁଷ୍ପ ମାଳ
ନଦୀ ଅଳଙ୍କୃତ କରେ
ଫୁଟି ଝରିଯିବ ସ୍ଵଳ୍ପ ସମ ମଧ୍ୟେ
ପ୍ରକୃତି ଭଣ୍ଡାର ଭରେ।
ଅମୂଲ୍ୟ ଅତୁଲ୍ୟ କଳନା କି ହେବ
କେତେ ଉଲ୍ଲାସ ସେ ଭରେ
ପ୍ରକୃତି ଛାଡିଛି କ୍ଲେଶ ଦୂରୀଭୂତ
ଶସ୍ତ୍ର କଷଣ ଯେ ହରେ।।
ମନ ଆନନ୍ଦିତ ଉପଭୋଗ୍ୟ ଭିତ
ନଦୀ ବେଢାରେ ମୁଁ ବସି
ଯେତେ ଦେଖୁଥାଏ ପ୍ରକୃତି ସୌନ୍ଦର୍ଯ୍ୟ
ନୟନ ମୋ ହସି ହସି।।
ଉଛୁଳା ନଦୀର ଢେଉ ମାଳ ମାଳ
ଅତଡା ପଖାଳି କହେ
ମୋର ତଟେ ସ୍ଥିତ କାଶତଣ୍ଡୀ ପୁଷ୍ପ
ସୌନ୍ଦର୍ଯ୍ୟ ବଢାଇ ଦିଏ।।
ସ୍ଵଳ୍ପ ଦିନ ସତ ମୋର ପୁଷ୍ପଭିତ
ବରଷ କେ ଥରେ ଫେରେ
ଯେଉଁ ଉଲ୍ଲାସକ ଯେତେ ସୁଖ ଯାକ
ଅନ୍ୟ କୁ ହସାଇ ଫେରେ।।
ପବନ ବୁହାଇ ପାଖୁଡା ଉଡାଇ
ନେଇଯାଏ ଦୂରାନ୍ତ କୁ
ଚତୁର୍ଦ୍ଦିଗ ସାରା ଶୁଭ୍ର ଯେ ପାଖୁଡା
ପ୍ରକୃତି ସ୍ନାନେ ଅଙ୍ଗକୁ।।
ନୁହଁଇ ଅଲୋଡା ପ୍ରକୃତିର କାୟା
ମନ ସ୍ତରୀଭୂତ କରେ
ଯେତେ ସମ ପାଇଁ ରହଇ ଏ କ୍ଷଣି
କାଶ ତଣ୍ଡି ଦୁଃଖ ହରେ ।
