ଅହିଂସା
ଅହିଂସା
ଅହିଂସା ଏକ ଧାରୁଆ ଅସ୍ତ୍ର
ହିଂସାକୁ ଦିଏ କାଟି,
ଅହିଂସା ଏକ ପବିତ୍ର ବସ୍ତ୍ର
ପିନ୍ଧିଲେ ତୁଟେ ଭ୍ରାନ୍ତି।
ଅହିଂସା ଏକ ପରମ ଶାସ୍ତ୍ର
ପୂଜା ପାଏ ଯେ ପଢେ,
ଅହିଂସା ଏକ ପ୍ରେମର ସୂତ୍ର
ସମ୍ପର୍କ ବାନ୍ଧିପାରେ।
ଅହିଂସା ଏକ ଦୈବିକ ମନ୍ତ୍ର
ନାଶେ ବିଦ୍ରୋହ ବିଷ,
ଅହିଂସା ଏକ ସାଧନା ଯନ୍ତ୍ର
ଇନ୍ଧନ ତାର ହସ।
ଅହିଂସା ଏକ ଭକ୍ତିର ପଥ
କୋଟି ତୀର୍ଥରେ ଶେଷ,
ଅହିଂସା ଏକ ଏମିତି ରଥ
ନାମ ତା' ନନ୍ଦିଘୋଷ।
ଅହିଂସା ଅଟେ ଶିରୀ ମନ୍ଦିର
ଆତ୍ମା କାଳିଆ ଦିଅଁ,
ଅହିଂସା ଅଟେ ମହାପ୍ରସାଦ
ପେଟ ଭରିକି ଖାଅ।
ଅହିଂସା ଏକ ପବିତ୍ର ଗଙ୍ଗା
ପ୍ରତ୍ଯହ କର ସ୍ନାନ,
ଅହିଂସା ଏକ ପୂଣ୍ୟ ନଉକା
ନାଉରି ଭଗବାନ।
ଅହିଂସା ଏକ ଫୁଲ ଉଦ୍ୟାନ
ଫୁଟେ ମମତା ଫୁଲ,
ଅହିଂସା ଅଟେ ବାସ ସୁଗନ୍ଧ
କେ ଦେବ ତାର ମୂଲ?
ଅହିଂସା ଏକ ମୁକ୍ତିର ହାଟ
ଭାବ ସଉଦା ମିଳେ,
ଅହିଂସା ଗୋଟେ କୁହୁକ ପାତ୍ର
ଅସରା ସଦାବେଳେ।
ଅହିଂସା ଏକ ନିଆରା ସ୍ଵାଦ
ଯେ ଖାଏ ସିଏ ଜାଣେ,
ସେହି ଅହିଂସା ବଳରେ ଗାନ୍ଧୀ
କୋଟିକେ ହେଲେ ଜଣେ।
ସେହି ଅହିଂସା ପରମ ଧର୍ମ
ବ୍ରତକୁ ଅନୁସରି,
ଗୌତମ ବୁଦ୍ଧ ହେଲେ ଏ ମର୍ତ୍ତ୍ଯେ
ନବମ ଅବତାରୀ।
ଯେଉଁ ଅହିଂସା ଚଣ୍ଡାଶୋକରୁ
କରିଛି ଧର୍ମାଶୋକ,
ସେହି ଅହିଂସା ବ୍ରତ ଆଚର
କହୁଛି ଭାଗବତ।
ପାଣ୍ଡବ ପ୍ରୀତି ଅହିଂସା ନୀତି
ହିଂସାରେ କୁରୁବଂଶ,
ହିଂସା ନିଜର ବିନାଶ ସାଧେ
ଅହିଂସା ବାଣ୍ଟେ ହସ।
ହିଂସା ଓ ତରବାରୀର ଜୟ
ପ୍ରକୃତ ଜୟ ନୁହଁ,
ଅହିଂସା ବଳେ ପ୍ରତି ହୃଦୟ
କରିପାରିବା ଜୟ।
ଅହିଂସା ପଥ ବୈକୁଣ୍ଠ ଭେଟ
ହିଂସା ନର୍କର ଦ୍ଵାର,
ଅହିଂସା ପଥ ଅନୁସରଣେ
ଭବୁ ହୋଇବା ପାର।।
