ଅଧୁରା ସ୍ବପ୍ନ
ଅଧୁରା ସ୍ବପ୍ନ
ସପନଟେ ଆସେ
ଚକାପାରି ବସେ
ପଲକ ଝରକା ଖୋଲି
ରାତିର ଛାତିରେ
ଆଙ୍କିଦିଏ ଛବି
ହଳଦିଆ ନୀଳ ନାଲି l
ଆକାଶଠୁ ନୀଳ
ଗଭୀର ତା ପ୍ରୀତି
ନୀଳିମା ଦିଏ ସେ ରଚି
ସାଗରଠୁ ବେଶି
ନୀଳର ଭଉଁରୀ
ମୋ ମନରେ ଦିଏ ବିଞ୍ଚି l
ମିଠା ତା ମହକ
ମିଠା ତା ପରଶ
ଶିହରୀତ ତନୁ ମନ
ଅମୃତ ପିୟୁଷ
ଅପୂର୍ବ ପୁଲକ
ବଢେ ହୃଦୟ ସ୍ପନ୍ଦନ l
କ୍ଲାନ୍ତ ଆଖି ତଳେ
ପ୍ରୀତି ଦୀପ ଜଳେ
ମନ ହୁଏ ଆନମନା
ଏକାନ୍ତ ନିଜର
ସପନ ସହର
ନାହିଁ ଭୟ ବିଡମ୍ବନା l
ଚୁପି ଚୁପି ଆସେ
ପାଖେ ବସି ହସେ
ଅନ୍ଧାର ପଣତ ଢାଙ୍କି
ଫେରିଯାଏ ପୁଣି
ନିଜ ଇଛା ମତେ
ପ୍ରଣୟର ଛବି ଆଙ୍କି ।