ଅଧୁରା କାହାଣୀ
ଅଧୁରା କାହାଣୀ
ନିରୁତା ମନରେ ନିରବ ଯନ୍ତ୍ରଣା
ନିଥର ଦେହକୁ ନେଇ
ନିରାଶାର ଘନ କୁହୁଡି ମଧ୍ୟରେ
ନିଜକୁ ହଜାଇ ଦେଇ ।
ଲୁହ ଲହୁ ଭରା ଜୀବନ କାହାଣୀ
ଅଧା ଲେଖା ମୋ ରହିଲା
ଲେଖିବା ଆଗରୁ କଲମରୁ କାଳି
ସବୁତକ ଶେଷ ହେଲା ।
ଏମିତି କାହାଣୀ କେମିତି ଲେଖିବି
ସେମିତି ସେ ରହିଥାଉ
ଜୀବନ ପୃଷ୍ଠାରେ ସବୁଦିନ ପାଇଁ
ପୂର୍ଣ୍ଣଛେଦ ପଡିଯାଉ ।
ଅସୁମାରୀ ଆଶା ଅଥଳ ସାଗର
ମଝିରେ ଦଦରା ନାଆ
କ୍ଷତାକ୍ତ ମନରେ ରକ୍ତାକ୍ତ ହୃଦୟ
ଉଜାଣି ବହୁଛି ବାଆ ।
ନିର୍ମମ ସେ ବ୍ଯଥା ଛାତିଥରା କଥା
ଆକ୍ତାମାକ୍ତା ନିଃଶ୍ବାସରେ
ଜୀବନ ସଂଗ୍ରାମେ ହାରିଗଲା ପରେ
ଜଳେ ଶ୍ରାବଣର ଧାରେ ।
ସମୟର ଏହି କ୍ରୁର ପରିହାସେ
ଶୁନ୍ ଶାନ୍ ଅନ୍ଧାରରେ
କ୍ଲାନ୍ତ ଅବସନ୍ନ ଯନ୍ତ୍ରଣା ଜୀବନ
ଭିଜେ ଆଖିର ଲୁହରେ ।
ମନେ ଉଙ୍କିମାରେ ଅଗ୍ନିର ସ୍ଫୁଲିଙ୍ଗ
ତୀବ୍ର ବିଦ୍ଯୁତ୍ ବେଗରେ
କପାଳରୁ ସ୍ବେଦ ଝରି ପଡୁଥାଏ
ମୌନ ମଳିନ ମୁଖରେ ।
ଅଫେରା ସୁଖର ଅସାର ସଂସାର
ନିଶବ୍ଦେ ଚିତ୍କାର କରେ
ଅନ୍ତସାର ଶୂନ୍ୟ ମନ ସବୁଜିମା
ସଂପର୍କ ର ସେତୁ ପରେ ।
ସ୍ବାର୍ଥପର ଏଇ ମଣିଷ ସମାଜ
ବୁଝେ କି' ବେଦନା ସ୍ବର
ଭଙ୍ଗା ଦର୍ପଣ ର ଟୁକୁଡା ଖଣ୍ଡରେ
ମୁହଁ ଦିଶେନି କାହାର ।
ଅଧାଲେଖା ଏଇ ଅଧୁରା କାହାଣୀ
କଳ୍ପନା ର ଜଉ ଘରେ
ଗୁମୁରି କାନ୍ଦୁଛି ଅନ୍ଧାରୀ ଭାଗ୍ଯରେ
ଭଙ୍ଗାମନେ ଗୋପନରେ ।
