ଅଢେଇ ଅକ୍ଷର ପ୍ରେମ
ଅଢେଇ ଅକ୍ଷର ପ୍ରେମ
ସେ ପଥ କୁଆଡେ କଣ୍ଟକିତ
ତଥାପି ମାଦକ ଭଳି ଭାବରେ
ଅମଡ଼ା ବାଟ ଖେଦି ଯିବାକୁ।
ସେ କୁଆଡେ ଅନଳର କୁଣ୍ଡ
ତଥାପି ପତଙ୍ଗ ଭଳି ଝାସ ଦେବାକୁ ହୁଏ
ମହାନିର୍ବାଣ ପାଇଁ।
ସେ ତ ଶାଣଦିଆ କ୍ଷୁର ନୁହେଁ
ତଥାପି ହୃଦୟ ପାନ ପତ୍ରରେ
ତୀର ଭଳି ଲାଗିଯାଏ।
ସେ ଜଳର ତୃଷା ର ନିବାରଣ ପାଇଁ
କେବଳ ତୃଷ୍ଣା.... ଆଉ ତୃଷ୍ଣା....
ଜଳଗହଳ ଯମ ଭଳି
କୂଳ ବୁଡାଏ
ତଥାପି ଆଦ୍ରତା ରେ ମହାନନ୍ଦ ।
ସେ କେତେବେଳେ ବିଷ ଭରିଦିଏ
ପୁଣି କେତେବେଳେ ପରଶିଦିଏ ପୀୟୂଷ।
ତୀର ଭେଦି ଚାହାଣୀ, ସମର୍ପଣ କେଶ
ସେଥିରେ ଗୁପ୍ତଥାଏ କିଛି ସଙ୍କେତ
ସବୁ ପାଲଟିଯା'ନ୍ତି ମଧୁମୟ ।
ସେ ସିକ୍ତ କରେ ରିକ୍ତ ମନକୁ
ମରୀଚିକା କୁ କରେ ମଳୟ
ସେ ପାଲଟି ଯାଏ ପୁଲକ ପଖଳା
ଆଉ ମମତା ଉଛୁଳା ।
ନାଁ ତା'ର କୁଆଡେ଼ ଅଢେଇ ଅକ୍ଷର ପ୍ରେମ।