ଅଚଳ ଘଡି
ଅଚଳ ଘଡି
ଚିତ୍ରଗୁପ୍ତ ପୋଥି ସମୟ ସାରଥି
ଆୟୁଷର ଗଣାକାର,
ଆୟୁଷ ପେଡିର ସମୟ ସ୍ରୋତକୁ
ବାନ୍ଧିନିଏ ଯମଘର ॥
ମାତୃ ଗରଭରୁ ଜୀବଥିବା ଯାଏ
କରୁଥାଏ ଟିକ୍ ଟିକ୍,
କାଳର ପାବନ୍ଧି ଆୟୁ କରେ ବନ୍ଦୀ
ରାମ ନାମ ସତ୍ୟ ଠିକ୍ ॥
ଶବ ପାଲଟିଲେ ଛଅଖଣ୍ତି କାଠେ
ଶମଶାନେ ଶେଷ ଯାତ୍ରା,
ଜୁଇ ଖାଇଦିଏ ଅମୂଲ୍ୟ ଜୀବନ
ଭୂଳିଣ ସ୍ନେହ ମମତା ॥
ଦିବ୍ୟ ଶରୀରଟା ଶବ ହୋଇଯାଏ
ଅଛୁଆଁ ପାତକ ଲାଗେ,
ବନ୍ଧୁ ସହୋଦର ନିଜ ପରିବାର
ବୁଡେ ଶୌଚ ପୁରୋଭାଗେ ॥
ଦଶଦିନ ଶୁଦ୍ଧି କ୍ରିୟା କର୍ମ ସାରି
ପ୍ରେତ କ୍ରିୟା କରିଥାନ୍ତି,
ତେର ଦିନେ ମେଳା ମଉତ୍ସବ କରି
ମନରୁ ଭୂଲି ଯାଆନ୍ତି ॥
ଗୋଚର ଥାଇ ବି ଅଚଳ ଘଡିକୁ
ସଂସାର ମୋହ ମାୟାରେ,
କାମନା ବାସନା ଚରିତାର୍ଥ ପାଇଁ
ଲଢେଇ ଏଇ ସଂସାରେ ॥
ପିତାମାତା ସହ ଆତ୍ମୀୟ ସୋଦରେ
ଭୁଲି କଳିର କରାଳେ,
ବେଇମାନ ରଥେ ସାରଥି ସାଜିଣ
ପାପୀ ସାଜୁ ଅନ୍ତରାଳେ ॥
ବିଶାଳ ପ୍ରାସାଦେ ଖଟ ପଲଂକରେ
କୋମଳ ଶେଜରେ ଶୋଉ,
ଖଳ ଦୁର୍ଗନ୍ଧର ପାର୍ଥିବ ଶରୀରେ
ବାସନାରେ ବୁଡିରହୁ ॥
ରୂପ ମାଧୁରୀରେ ଗର୍ବ ଅହଂକାରେ
ଧରାକୁ ମଣିଛୁ ସରା,
ମାନବିକତାକୁ ଜଳାଂଜଳି ଦେଇ
ଭାବୁଛୁ ଉଦିଆ ତାରା ॥
କାଳ ମାଡି ଆସେ ପ୍ରଳୟ ବେଶରେ
ଜୀବନ ହୋଇବ ଶେଷ,
ଜୀବନର ଘଡି ଅଚଳ ହୋଇବ
ବାନ୍ଧିନେବ କାଳଫାଶ ॥