ଅଚିହ୍ନା ସମୟକୁ
ଅଚିହ୍ନା ସମୟକୁ
ହଜିଗଲା ପରେ ପୁନେଇଁର
ଗୋଲ ମାଟୋଲ ଜହ୍ନଟା
ଭିଜି ଗଲା ପରେ ଘାସର
ସବୁଜ ମଖମଲୀ ଗାଲିଚା
ପହିଲି ଆଭା ଅରୁଣିମା ସ୍ନାତା
କୁନି କୁନି ତୁହିନ ସ୍ଫଟିକ ବିନ୍ଦୁ
ଲାଜେଇ ଲାଜେଇ ଚାହାନ୍ତି
ଓଢଣା ତଳୁ କୁନି ବଉର
ଅଧା ଖୋଲା ଲାଜୁଆ ଆଖିର
ରଙ୍ଗ ଭରା ଚାହାଣି ସଦୃଶ ।
ନିଦ ଖସି ଖସି ଯାଏ ଆଖି ତଳୁ
ଅଳସୀ ତନ୍ଦ୍ରା କଡ଼ ଲେଉଟାଏ
ଭିଜା କେଶକୁ ଆବୋରି
ଅଟକି ଯାନ୍ତି କିଛି ବାରି ବିନ୍ଦୁ
ସେପଟର ବିନ୍ଦୁ କାକର ସମାନ
ଗତି ମଧ୍ୟମ କମ୍ପନ ସାମାନ୍ୟ
ମାତ୍ର ବୁଣିଯାଏ ମୁକୁତା କଣିକା ।
ଖୋଲା ଶିକୁଳି ଦର ଆଉଜା କବାଟ
ଖଟ ଖାଟ ଶବ୍ଦ ରୋଷେଇରୁ
ଉତୁରା ଚା'ର ବାସ୍ନାର ଇଶାରା
ଚାଦର ଟାଣି ନିଏ ମୁହଁ ଉପରୁ
ଏବଂ ସକାଳ ଆସି ଯାଏ ।
ଆଜି ବି ଚା'ର ପିଆଲା କହେ
ଚିତ୍କାର କରେ, ରାତି ପାହିଲାଣି
ବୋତଲକୁ ଢକ ଢକ କରି
ଅଧା ଖାଲି କଲା ପରେ
ଉଷୁମ ଚା'ରୁ ବାସ୍ନା ଖୋଜୁ ଖୋଜୁ
ଖାଲି ପିଆଲାକୁ ଧରି
ଖୋଜେ ସେ ଦିନର ସକାଳକୁ
ସବୁ ଅଚିହ୍ନା ଅଚିହ୍ନା ଲାଗନ୍ତି
ଅପରିଚିତ ଲାଗନ୍ତି କାହିଁକି
ଏବଂ ପଚାରିବାକୁ ଇଛା ହୁଏ
ପାଖା ପାଖି ଠିଆ ହୋଇଥିବା
ଜଣା ଶୁଣା, ମାତ୍ର ଅଚିହ୍ନା ସମୟକୁ
କାହିଁ ସେ କାକର ଭିଜା ସକାଳ ?