ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
କା ଆଶା ବିଶ୍ୱାସେ ମିଶାଅନି ବିଷ
ଆଖିରେ ନ ଦିଅ ଲୁହ
ବଡ଼ ବିଷମୟ ଅଭିଶାପ ଫଳ
ଅନଳ ଅବ୍ୟକ୍ତ କୋହ ।
ସହି ହୁଏ ନାହିଁ କହି ହୁଏ ନାହିଁ
ଅଜାଗା ଘାଆ ବେଦନା
ଉପଶମ ପାଇଁ ପର ଅପରକୁ
ଦେଖାଇ ମୋଟେ ହୁଏନା ।
ଉଦ୍ଭବ ହୁଅଇ ପୁନଃ ତରୁ ଶାଖା
କୁଠାରେ ହେଲେ ଛେଦନ
ମନ ହୃଦୟରେ କଟୁ ବାକ୍ୟ କ୍ଷତ
ନ ହୁଏ କେବେ ପୂରଣ ।
ଦୁର୍ଜନ ମଣଇ ନିଜକୁ ଚତୁର
ସବୁଠାରୁ ଶକ୍ତିମାନ
ଧର୍ମ ଓ ଈଶ୍ୱର ମୂଲ୍ୟହୀନ ସବୁ
ସ୍ୱାର୍ଥ ସିଦ୍ଧି ମହା ପୁଣ୍ୟ ।
ଗୁରୁ ଗୁରୁଜନ ସମ୍ବନ୍ଧ ସମ୍ପର୍କ
ଅଟଇ ତା ପାଇଁ ତୁଚ୍ଛ
ସୁବିଧା ଉଣ୍ଡି ସେ ବିଶ୍ୱାସରେ ବିଷ
ଦିଅନ୍ତି ବଡ଼ ଆଘାତ ।
ଦୁନିଆ ଆଖିରେ ଅତି ସନ୍ତର୍ପଣେ
ନିକ୍ଷେପି ଦୁର୍ଜନ ଧୂଳି
ଦେଖାଇ ହୁଏ ସେ ନିରୀହ ନିଷ୍ପାପ
ଈଶ୍ୱର ହିଁ ଦୁରାଚାରି ।
ଯା ମନେ ଭରିଛି ପାପର ପ୍ରବୃତ୍ତି
ହୀନ କୂଟ କପଟତା
ବୁଝି ପାରିବନି ସେ ନୀଚ୍ଚ ଅଧମ
ଧର୍ମ କର୍ମ ବାସ୍ତବତା ।
ଜାତି କୁଳ ଗୋତ୍ର ସମାଜ ସଂସ୍କାର
ଦୈବୀଗୁଣ ଭବ ରୁହ
ହୁଅ ସମଦର୍ଶୀ ସୁଚ୍ଚରିତ୍ର ଆର୍ଯ୍ୟ
ବିନାଶ କଳ୍ମଷ କୋହ ।
------
