ଅବ୍ଯକ୍ତ କୋହ
ଅବ୍ଯକ୍ତ କୋହ
ପ୍ରତି ମୁହୂର୍ତ୍ତରେ ଅବ୍ଯକ୍ତ ସେ କୋହ
ମନ ଦର୍ପଣ ରେ ଦିଶେ
ଉତୁରା ମୋହରେ ଅତୀତ ଚିତ୍ରକୁ
କାୟାକଳ୍ପେ ଆଙ୍କି ବସେ ।
ଅନେକ ଆଶାର ସ୍ବପ୍ନ ପାରିଜାତ
ଯେବେ ମନେ ଥିଲା ଭରି
ଆସ୍ତେଆସ୍ତେ ସବୁ ଅପସରି ଗଲା
ରାହୁଗ୍ରାସ କଲା ପରି ।
ଅଗ୍ନିର ପରୀକ୍ଷା ଜୀବନେ ଆସଇ
ସାଦରେ ନିଏ ଆଦରି
ସମୟ ଇଛାରେ ଚାଲିବାକୁ ହୁଏ
ମନର ଇଛାକୁ ମାରି ।
ହୃଦ ଆକାଶର ମୁକୁଳା ଛାତିରୁ
ଯେବେ ଝରେ ଲୁହ ଧାର
ଭିଜିଯାଏ ସବୁ ଅଙ୍କୁରିତ ସ୍ବପ୍ନ
କଳଙ୍କିତ କାମନାର ।
ଆରମ୍ଭରୁ ଶେଷ ଏମିତି ଜୀବନ
ମନପକ୍ଷୀ ବନ୍ଦୀ ହୁଏ
ସାୟାହ୍ନ ବେଳାରେ ଅଭିମାନ କରି
ନିଜଠୁ ଦୁରେଇ ଯାଏ ।
ଶୂନ୍ଯ ଇଲାକାରେ ଶର ବିଦ୍ଧ ହୋଇ
ଜମାଟ ବାନ୍ଧଇ କୋହ
ଅମାନିଆ ମନ ଛାଡେ ଦୀର୍ଘଶ୍ବାସ
ଆଖି କୋଣେଚାପେ ଲୁହ ।
ଅସହାୟ ଲାଗେ ତୋଫା ଜହ୍ନରାତି
ପ୍ରତୀକ୍ଷାର ତପସ୍ୟାରେ
ଅନୁଭବି ଜାଣେ ଅବ୍ଯକ୍ତ ବେଦନା
ଉପେକ୍ଷାର ହୃଦୟରେ ।
ମରମର ବ୍ଯଥା ମରମେ ମରଇ
ମନରେ ଲାଗଇ ନିଆଁ
ହୃଦୟେ ସାଇତା ଅବ୍ଯକ୍ତ ସେ କୋହ
ବୁଝିକି' ପାରେ ଦୁନିଆ ।
