ଆସିବେ ଭବାନୀ ମାଆ
ଆସିବେ ଭବାନୀ ମାଆ
ମହୁରୀଆ ଭାଇ ମହୁରୀ ବଜା
ଢୋଲିଆ ଭାଇତୁ ଢୋଲିକି ବଜା
ମଣ୍ଡପ ହେଲାଣି ସଜା,
ଜଗତଜନନୀ ମରତ ଆସିବେ
ବଜାରେ ବାଇଦ ବଜା ।
ଅଶିଣ ଆକାଶ ସଫା ସୁତର
ଝରା ଶେଫାଳୀର ବାସେ ଅତର
ଆକାଶ ଦିଶଇ ତୋଫା,
ମେଘ ଘଡ଼ଘଡ଼ି ଶୁଭୁ ନାହିଁ ଆଉ
ନାହିଁ ବରଷାର ଟୋପା ।
ଶ୍ୟାମଳ କେଦାର ଫୁଲ ଉଡାଇ
ତରୁ ଦେହେ କେତେ ଲତା ଗୁଡେଇ
ହସିଲେଣି ଜୁଇ ଯାଇ,
ସଂଜ ଆକାଶରେ ବିହଗ ଫେରଇ
ମାଆଙ୍କ ବନ୍ଦନା ଗାଇ ।
ଧୂପ,ଦୀପ,ଝୁଣା, ଚନ୍ଦନ ଘୋରି
ନାନା ବିଧ ଫୁଲ,ଶ୍ରୀଫଳ ଧରି
ଆବାହନ କରେ ଦ୍ଵିଜ,
ଧରା ଧାମେ ମାଆ ବିଜେ କର ଆସି
ଉଚ୍ଚାରଇ ମନ୍ତ୍ର ବୀଜ ।
ନଈ ପଠା କଡେ କାଶର ଫୁଲେ
ରହିରହି ଆସି ପବନ ଝୁଲେ
ନଈର ଚହଲା ତରଙ୍ଗ ଜଳେ,
ପର ଝାଡ଼ି ଦେଖ ନୃତ୍ୟ କରିଲେଣି
ଧୋବ ଫରଫର ମରାଳ ଦଳେ ।
ଆସ ନରନାରୀ ପ୍ରଭାତୁ ଉଠି
ଅଗଣାରେ ବସି ଆଙ୍କିବା ଝୋଟି
ଜଗତକୁ ହେବେ ସାହା,
ବନ୍ଦାପନା କରି ପାଛୋଟି ଆଣିବା
ଆସିବେ ଭବାନୀ ମାଆ ।