ବାପୁଙ୍କ ଚଷମା
ବାପୁଙ୍କ ଚଷମା
କୋଉଠି ଥିଲା ଏତେ ଶକତି
ମନରେ ପୁଣି ଏତେ ଭକତି
ମାଆ ମାଟିର ମମତା ଲାଗି
ଛାଡ଼ି ଆପଣା ସୁଖ,
ଦେଶ ଦୁନିଆ ଆପଣା କରି
ସଭିଙ୍କୁ ଡାକି ଏକାଠି ଧରି
ବିତେଇ ଦେଲ ସାରା ଜୀବନ
ଆବୋରି ନେଇ ଦୁଃଖ ।
ଜଣା ପଡ଼େନା ଦେଖିଲେ କିଛି
ଦୁର୍ବଳିଆ ଦେହରେ ଅଛି
ଗୋରାମାନଙ୍କୁ ତଡ଼ିବା ପାଇଁ
ଏତେ ସାହସ ଦମ୍ଭ,
ଅଟଳ ତୁମ ମନର କଥା
କିଏ ବୁଝିବ ତାହାର ବ୍ୟଥା
ତୁମେ ତ ଥିଲ ଅହିଂସା ପଥେ
ଦୟା ଧରମ ଖମ୍ବ ।
କିଏ ସେ ଜାଣେ ଚଷମା ତଳେ
ଆଖି ଦୁଇଟି ଭାସୁଛି ଜଳେ
ନିରୀହ ଦୁଃଖୀ ମଣିଷ ଲାଗ
ି
ହୃଦୟେ ଭରି ଶୋକ,
ଗାଆଁ,ସହର,ରାଇଜ,ଦେଶ
ଧୋତି, ଚାଦର ଗୋଟିଏ ବେଶ
ସଭିଙ୍କୁ ଡାକି କରିଲ ଏକ
ଭୁଲି ପେଟର ଭୋକ ।
ଡରି ନଯାଇ ବନ୍ଧୁକ ଗୁଳି
ତୋପ କମାଣ ଖଡଗେ ଟଳି
ହାତରେ ଧରି ଗୋଟିଏ ଲାଠି
ଡାକରା ତୁମ ଥିଲା,
ଆସରେ ସବୁ ଭଉଣୀ ଭାଇ
ହାତ ହତିଆର ଧରିବା ନାହିଁ
ଅହିଂସା ଆମ ଧରମ ପଥ
ଯୁବା ହେଉ ବା ପିଲା ।
ଗଲାଣି ଦିନ ବରଷ ମାସ
ସବୁରି ଓଠେ ଫୁଟିଛି ହସ
ବାପୁ ହେ ତୁମ ଚଷମା କଥା
ବୁଝି ପାରୁନୁ ଆମେ,
କେମିତି ସେହି ଚଷମା ତଳେ
ସ୍ୱାଧୀନତାକୁ ଦେଖିଲ କୁହ
ଏତେ ଆଗରୁ ତୁମେ ।