ଫଟୋ
ଫଟୋ
କେତେ ଦିନ ଏମିତି ସାଇତି ରଖିଥିବି
କହିଲ ତମ ଫଟୋକୁ
ମୋ ବହି ଥାକରେ !
ବାପା ଗଲା ପରେ ବାପାଙ୍କ
ଅପଢ଼ା ବହିମାନଙ୍କ ଭିତରେ ତ
ଆଉ କେତେବେଳେ
ବାପାଙ୍କ କାଠ ଆଲମାରୀର ଅଳିଆ
ସାଇତା ପୁରୁଣା କୋଟ ଧୋତି କୁର୍ତା ଭିତରେ ।
ଆଜିକାଲି ସ୍ତ୍ରୀ ମୋର ସବୁ ଉଣ୍ଡାଳୁଛି
ଅଦରକାରୀ ଘରର ଆସବା ପତ୍ର
ପୁଅ ମୋର ପୁରୁଣା ବହି ଥାକ
ଆଉ ଝିଅ ! ଜେଜିମାଆର ସମ୍ବଲପୁରୀ ପାଟ
ତା' କଲେଜ ଫଙ୍କସନରେ ଓଡ଼ିଶୀ ନୃତ୍ୟ ପାଇଁ
ପିନ୍ଧିବା ଆଳରେ ।
କେତେଦିନ ଆଉ ଏମିତି ଛୁଆଖାଇ ବିଲେଇଟି ପରି
ମାଣ୍ଟୁ ଉପରେ ତ ଗୁହାଳ ଘର ଘଷି ଭାଡ଼ିରେ
ଲୁଚେଇ ରଖିଲା ପରି ତା ଛୁଆକୁ
ମୁଁ ଲୁଚାଉ ଥିବି ତମର ସେଇ ସ୍କାର୍ଟ ପିନ୍ଧା ଫଟ ଖଣ୍ଡିକୁ !
ତୁମର ସେଇ ସ୍ମୃତି ଟିକକ
ଏ ସନ ଭାବିଛି ଆଉ ପାରିବିନି ସମ୍ଭାଳି
ଆଖି ଏଣିକି ଅସ୍ପଷ୍ଟ ହେଲାଣି
କେହି ଜାଣିବା ପୂର୍ବରୁ
ତୁମକୁ ଫେରେଇଦେବି
ଥରୁଟିଏ ଦେଖି
ବାକି ଥରୁଟେ ଫଟ ଉଠେଇ ରଖିଦେବି
ଛାତିର କଲିଜା ଫାଙ୍କରେ
ମୋ' ଜୁଇ ଲିଭିବା ଯାଏ ସାଇତି ଥିବି
ମଶାଣି ସଙ୍ଗାଡ଼ ପାଉଁଶ ସାଥିରେ ।
ଅହୋ ଭାଗ୍ୟ ହେବ ସେଦିନ
ପୁଅ ମୋର ପ୍ରୟାଗରେ ଗଙ୍ଗାରେ ଅଥବା ତ୍ରିବେଣୀରେ
ଯେଉଁ ଦିନ ବିସର୍ଜନ କରିବ ମୋ ଅସ୍ତି ଆଉ ମୋ
ପାଉଁଶ ଟିକକ
ସେଦିନ ମୁଁ ସ୍ୱର୍ଗକୁ ଯିବି
ପୁଣି ତୁମକୁ ଭେଟିବା ପାଇଁ ଅପେକ୍ଷା କରିବି
ଆଉ ଏକ ଜନ୍ମର ହସ୍ତାକ୍ଷର କରି
ଜନ୍ମ ଜନ୍ମାନ୍ତର ପାଇଁ ।